ଫାଉଡ଼ା ଧରି କାମ କଲେ ଜିଲାପାଳ

ନୂଆପଡ଼ା,୧୫ା୯(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ସମରସିଂ ଓ ସିଲଭା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହେଉଥିବା ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିବା ପାଇଁ ଯାଇ ଖୋଦ ଜିଲାପାଳ ଶ୍ରମଦାନ କରିଛନ୍ତି। ଏହି ସମୟରେ ଉପସ୍ଥିତ ଥିବା ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଓ କୋମନା ବିଡିଓ ମଧ୍ୟ ଜିଲାପଳଙ୍କ ସହ ମିଶି ମାଟି କାର୍ଯ୍ୟ କରିଛନ୍ତି। ସୂଚନା ମୁତାବକ ଶନିବାର ନୂଆପଡ଼ା ଜିଲାପାଳ ମଧୁସୂଦନ ଦାସ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, କୋମନା ବିଡିଓ ହିତାଂଶୁ ଶେଖର ସାମଲ କୋମନା ବ୍ଲକ ସମରସିଂ ପଞ୍ଚାୟତର ଖଜୁରବାହାଲ ଗାଁ ଓ ସିଲଭା ପଞ୍ଚାୟତର ଚଚରାଝରଣ ଗାଁକୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ସମୀକ୍ଷା ପାଇଁ ଯାଇଥିଲେ। ସେ ସମୟରେ ଉଭୟ ଗାଁରେ ୧୫୦ ଲେଖାଏ ଶ୍ରମିକ ମାଟି କାମ କରୁଥିଲେ। ସେମାନେ ଜଙ୍ଗଲ ସୁରକ୍ଷା, ଜଳ ସଞ୍ଚୟ ଓ ମାଟି କ୍ଷୟ ରୋକିବା ପାଇଁ ଟ୍ରେଞ୍ଜ କମ ବୋଡିଂ (ଟିସିବି) କାମ କରୁଥିଲେ। ସେହି ସମୟରେ ଖୋଦ ଜିଲାପାଳ ମୁଁ ମଧ୍ୟ ଚାଷୀ ଘର ପିଲା, ମାଟି କାମ କରିବା ଜାଣେ କହି ଫାଉଡା ଧରି ମାଟି ହାଣିବା ଆରମ୍ଭ କରିଥିଲେ। ଅନ୍ୟ ଶ୍ରମିକମାନଙ୍କୁ ସହଯୋଗ କରି ଫାଉଡାରେ ମାଟି ଉଠାଇ ଘମେଲା ଉପରେ ଦେଉଥିଲେ। ଶ୍ରମିକମାନେ ତାହାକୁ ନେଇ ଅନ୍ୟତ୍ର ଫିଙ୍ଗୁଥିଲେ। ଜିଲାପାଳଙ୍କ କାର୍ଯ୍ୟ ଦେଖି ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଓ ବିଡିଓ ମଧ୍ୟ କାମରେ ଲାଗି ଯାଇଥିଲେ। ଏହାକୁ ଦେଖି ଶ୍ରମିକମାନେ ଭୂରି ଭୂରି ପ୍ରଶଂସା କରିଥିଲେ। ଏହି ଅବସରରେ ଜିଲାପାଳ ଜିଲାର ସମସ୍ତ ଶ୍ରମିକଙ୍କ ଡାଟାବେଶ ପ୍ରସ୍ତୁତ କରିବା ପାଇଁ ଜିଲା ଶ୍ରମ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Share