ଜିଲା କଂଗ୍ରେସ ସଭାପତି ପରିବର୍ତ୍ତନ: ପିସିସି ନିଷ୍ପତ୍ତି ପ୍ରତିବାଦରେ ୧୯ପଦାଧିକାରୀଙ୍କ ଦଳରୁ ଇସ୍ତଫା

ଦେବଗଡ଼,୧୪।୬,(ଶଶାଙ୍କ ଶେଖର ଝାଙ୍କର) :ପବିତ୍ର ରଜ ଅବସରରେ ସାରା ରାଜ୍ୟରେ ଉତ୍ସବର ମାହୋଲ ଥିବା ବେଳେ ଦେବଗଡ଼ ଜିଲା କଂଗ୍ରେସରେ ହଟଚମଟ ଦେଖାଦେଇଛି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ତରବରିଆ ଜିଲା କଂଗ୍ରେସ ସଭାପତି ପରିବର୍ତ୍ତନ ନିଷ୍ପତି ପ୍ରତିବାଦରେ ବୁଧବାର ଜିଲା କଂଗ୍ରେସର ମହିଳା ସଭା ନେତ୍ରୀ ମଞ୍ଜୁଲତା ନାୟକ,ନଗର ମହିଳା କଂଗ୍ରେସ ସଭାପତି ସତ୍ୟବତୀ ଭୁକ୍ତା, ତିଳେଇବଣି ବ୍ଲକ ମହିଳା ସଭାନେତ୍ରୀ ମାର୍ଗରେଟ ବାର୍ଲା, ରିଆମାଳ ବ୍ଲକ ମହିଳା ସଭନେତ୍ରୀ ରୀନା ରାଣୀ ମିତ୍ର, ବାରକୋଟ ବ୍ଲକ ମହିଳା ସଭାନେତ୍ରୀ ସବିତା ନାଏକ, ଜିଲ୍ଲା କଂଗ୍ରେସ କମିଟି ଉପ ସଭାପତି ସଚ୍ଚିଦାନନ୍ଦ ପଟ୍ଟନାୟକ,ସାଧାରଣ ସମ୍ପାଦକ କ୍ଷିତୀଶ କୁମାର ପ୍ରଧାନ, ଜୟନାରାୟଣ ସାହୁ, ରାକେଶ କୁମାର ବେହେରା,କୋଷାଧକ୍ଷ ସୁଶୀଲ କୁମାର ନାୟକ, ଓବିସି ସେଲ ଜିଲା ସଭାପତି ଡିଲେଶ୍ୱର ସାହୁଙ୍କ ସମେତ ସମସ୍ତ ବ୍ଲକ ଓବିସି ସେଲ ସଭାପତି, ସୋସିଆଲ ମିଡ଼ିଆ ସେଲ ମୁଖ୍ୟ ପଞ୍ଚୁଲାଲ ବରାଇ, ପୂର୍ବତନ ନଗରପାଳ ନେତ୍ରାନନ୍ଦ ସାମଲ,କାର୍ଯ୍ୟକାରୀ ସଦସ୍ୟ ବସନ୍ତ କୁମାର ମିଶ୍ର, ପ୍ରମୋଦ କୁମାର ମିଶ୍ର, ନଗର ସଭାପତି ପ୍ରକାଶ କୁମାର ଦେବତା, ନଗର ଉପ ସଭାପତି ବିକାଶ ଖଡ଼ିରତ୍ନ, ନଗର କଂଗ୍ରେସ ସମ୍ପାଦକ ଶମ୍ଭୁନାଥ ପ୍ରଧାନ ଓ ଆଶିଷ କୁମାର ଦାଣ୍ଡିଆଙ୍କ ସମେତ କଂଗ୍ରେସର ବିଭିନ୍ନ ବିଭାଗର ପଦାଧିକାରୀ ନିଜନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ବୁଧବାର ପୂର୍ବାହ୍ନରେ ଜିଲା ମହିଳା ସଭାନେତ୍ରୀ ମଞ୍ଜୁଲତା ନାୟକଙ୍କ ଆବାହକତ୍ୱରେ ଏକ ଘରୋଇ ହୋଟେଲ ଠାରେ ଉପରୋକ୍ତ କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ହୋଇ ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତିକୁ ପ୍ରତିବାଦ କରିଛନ୍ତି। ଏଥିସହ ପିସିସିର ନିଷ୍ପତ୍ତି ଫଳରେ ଜିଲାରେ କଂଗ୍ରେସ ସଂଗଠନ ଦୃଢ ନେତୃତ୍ୱ ଅଭାବରେ ଭୁଶୁଡିବା ନିଶ୍ଚିତ ବୋଲି ଖବରଦାତା ସମ୍ମିଳନୀରେ ପ୍ରକାଶ କରିବା ସହ କଂଗ୍ରେସ ଦଳରେ ରହି ଲୋକଙ୍କ ପାଇଁ ସେବା କରିବା ଅସମ୍ଭବ ମନେ ହେବାରୁ ସେମାନେ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି। ଜିଲା କଂଗ୍ରେସରେ ଏତେ ସଂଖ୍ୟକ କର୍ମୀ ଓ ପଦାଧିକାରୀ ଏକ ସମୟରେ ଇସ୍ତଫା ଦେବା ଜିଲାରେ ପ୍ରଥମଥର ଦେଖିବାକୁ ମିଳିଥିବା ବେଳେ ୨୦୨୪ ନିର୍ବାଚନ ପାଇଁ ଦଳର ଶକ୍ତି ହ୍ରାସ ବିରୋଧୀଙ୍କ ମନୋବଳକୁ ସୁଦୃଢ କରିଛି ।