ସ୍ବଚ୍ଛ ଆକ୍ସନ ପ୍ଲାନରେ ଡିଷ୍ଟ୍ରିକ୍ଟ ଗ୍ରୀନ ଚାମ୍ପିୟନ

ଜଗତ୍‌ସିଂହପୁର ଅଫିସ, ୧୩।୪: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ତରଫରୁ ଜାତୀୟ ଗ୍ରାମୀଣ ଶିକ୍ଷା ପରିଷଦ ଦ୍ୱାରା କରାଯାଇଥିବା ସର୍ବେକ୍ଷଣରେ ବାଲିକୁଦା ମହିଳା ସ୍ନାତକ ମହାବିଦ୍ୟାଳୟକୁ ଡିଷ୍ଟ୍ରିକ୍ଟ ଗ୍ରୀନ ଚାମ୍ପିୟନ ହୋଇଛି। ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସ୍ବଚ୍ଛ ଆକ୍ସନ ପ୍ଲାନ୍‌ ଯଥା ପରିମଳ, ହାଇଜିନ୍‌, ବର୍ଯ୍ୟବସ୍ତୁ ପରିଚାଳନା, ଜଳ, ଶକ୍ତି ଓ ସବୁଜ ବଳୟ ସୃଷ୍ଟି କରିବା କ୍ଷେତ୍ରରେ ପଦକ୍ଷେପ ପାଇଁ ଏହି ସଫଳତା ହାସଲ କରିଛି।
ଏମ୍‌ଜିଏନ୍‌ସିଆର୍‌ଇ ତରଫରୁ ୨୦୨୨ ଜାନୁୟାରୀ ୨୪ରୁ ଜାନୁୟାରୀ ୨୮ ପର୍ଯ୍ୟନ୍ତ ଆଭାସୀ ମାଧ୍ୟମରେ ଅଧ୍ୟାପକ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା। ଏଥିରେ ଓଡ଼ିଶାର ବିଭିନ୍ନ ଜିଲାର ମହାବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ। ଏଥିରେ ଜଗତ୍‌ସିଂହପୁର ଜିଲାର ବାଲିକୁଦା ମହିଳା ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷା ତନୁଜାବାଳା କାନୁନ୍‌ଗୋଙ୍କ ସହ ଇଂଲିଶ୍‌ ଅଧ୍ୟାପିକା ସୌଦାମିନୀ ଶତପଥୀ ଓ ସାମାଜିକ ବିଜ୍ଞାନ ଅଧ୍ୟାପିକା କଲ୍ୟାଣୀ ପଣ୍ଡା ଯୋଗଦେଇ ମହାବିଦ୍ୟାଳୟ ତରଫରୁ ପ୍ରସ୍ତୁତ ଯୋଜନା ଉପରେ ବିସ୍ତୃତ ସୂଚନା ଦିଆଯାଇଥିଲା। ଶେଷରେ ଏହି ମହାବିଦ୍ୟାଳୟକୁ ଡିଷ୍ଟ୍ରିକ୍ଟ ଗ୍ରୀନ ଚାମ୍ପିୟନ ଆୱାର୍ଡ ପାଇଁ ଚୟନ କରାଯାଇଥିଲା। ମଙ୍ଗଳବାର ଜିଲାପାଳ ପାରୁଲ ପଟୱାରି ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ମହାବିଦ୍ୟାଳୟ ଅଧ୍ୟକ୍ଷା କାନୁନ୍‌ଗୋଙ୍କୁ ଏନେଇ ପ୍ରମାଣପତ୍ର ଦେଇ ସମ୍ମାନିତ କରାଯାଇଛି ବୋଲି ଜିଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Share