ଅନ୍ଧାରରେ ଜିଲା ମୁଖ୍ୟ ଚିକିତ୍ସାଳୟ, ରୋଗୀ ହଟହଟା

ବରଗଡ଼,୧୧।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଖେଦାପାଲି ଟୁକୁର୍ଲାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରୁ ରବିବାର ଅପରାହ୍ନ ସାଢ଼େ ୩ଟାରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି। ଫଳରେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସର ଅନ୍ଧକାର ହୋଇପଡ଼ିଛି। ଖବର ଲେଖାହେବା ସୁଦ୍ଧା(ରାତି ସାଢ଼େ ୮ଟା ପର୍ଯ୍ୟନ୍ତ) ବିଦ୍ୟୁତ୍‌ ସେବା ସ୍ବାଭାବିକ ହୋଇପାରି ନାହିଁ। ଫଳରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ହଟହଟା ହେବାକୁ ପଡୁଛି।

ବିଦ୍ୟୁତ୍‌ ସେବା ବ୍ୟାହତ ହେବା ଯୋଗୁ ଏକ୍ସରେ, ଡାୟଲାସିସ୍‌, ଅଲଟ୍ରାସାଉଣ୍ଡ୍‌ ୟୁନିଟ୍‌ ମଧ୍ୟ ବନ୍ଦ ହୋଇଯାଇଛି। କେବଳ ଡାକ୍ତରଙ୍କ ଚ୍ୟାମ୍ବରଗୁଡ଼ିକ ଇନଭର୍ଟର୍‌ ଦ୍ୱାରା ଆଲୋକିତ ଅଛି।

ଏହି ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡା. ଡି.କେ ଦତ୍ତଙ୍କୁ ପଚାରିବାରୁ ଗ୍ରୀଡ୍‌ରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଥିବା ଯୋଗୁ ସେଭଳି ସମସ୍ୟା ଉପୁଜିଛି ବୋଲି କହିଥିଲେ। ସେହିପରି ୫୦୦କେ.ଭି କ୍ଷମତା ସମ୍ପନ୍ନ ଜେନେରେଟର ମଧ୍ୟ ଅଚଳ ହୋଇପଡ଼ିଛି। ବର୍ତ୍ତମାନ ଇନଭର୍ଟର ଦ୍ୱାରା ବିିଭିନ୍ନ ୱାର୍ଡ଼କୁ ବିଦ୍ୟୁତ୍‌ ଯୋଗାଇବା ସହିତ ଚାର୍ଜିଂ ବଲବ୍‌ କିଣି ଲଗାଯାଉଛି ବୋଲି ସେ କହିଥିଲେ।

Share