ଜିଲାସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟର ଶୁଭାରମ୍ଭ

ଦାରିଙ୍ଗବାଡି,୧।୯(ଅରୁଣ ସାହୁ): କନ୍ଧମାଳ ଜିଲାରେ କ୍ଲାମ୍ବୁ(ଗୋତ୍ର) ତଥା ଜାତିର ପରିଚୟ ସୃଷ୍ଟି ପାଇଁ ଜିଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ଆୟୋଜିତ ଟୁର୍ନାମେଣ୍ଟ ୨୦୦୮ରୁ ଜିଲାର ବିଭିନ୍ନ ବ୍ଲକରେ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବୁଡ଼ାଗୁଡା ପଞ୍ଚାୟତ କୁକେରମାହା ଗ୍ରାମରେ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟରେ ୧୨ଟି କ୍ଲାମ୍ବୁ ଟିମ୍‌ ଯୋଗ ଦେଇଛନ୍ତି। ଟୁର୍ନାମେଣ୍ଟ ୫ ଦିନ ଧରି ଚାଲିବ। ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ଜନଜାତି ସମବାୟ ବାଣିଜ୍ୟ ଉନ୍ନୟନ ମହାସଙ୍ଘ (ଟ୍ରାଇଫଏଡ)ର ଉପାଧ୍ୟକ୍ଷ ତଥା ଅଖିଳ ଭାରତୀୟ ବନବାସୀ କଲ୍ୟାଣ ଆଶ୍ରମର କାର୍ଯ୍ୟକାରିଣୀ ସଦସ୍ୟ ପବିତ୍ର କଂହର ଯୋଗଦେଇ ଟୁର୍ନାମେଣ୍ଟର ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ପେନୁ ଦେବତାଙ୍କୁ ପୂଜାର୍ଚ୍ଚନା କରାଯାଇ ଟୁର୍ନାମେଣ୍ଟର ଶୁଭାରମ୍ଭ କରାଯାଇଥିଲା। ଅତିଥିଙ୍କ ମଧ୍ୟରେ ବନବାସୀ କଲ୍ୟାଣ ଆଶ୍ରମ କନ୍ଧମାଳ ଜିଲା ସଭାପତି ଗଜେନ୍ଦ୍ର ପ୍ରଧାନ, ଗଣ୍ଡ ସମାଜର ଜିଲା ସଭାପତି ବିଷ୍ଣୁ ପ୍ରଧାନ, କନ୍ଧ ଗୌଡ଼ ସମାଜର ଜିଲା ସଭାପତି ପ୍ରେମାନନ୍ଦ ମାଝୀ, ବନବାସୀ କଲ୍ୟାଣ ଆଶ୍ରମର ବ୍ଲକ ସଭାପତି କାମଦେବ ପ୍ରଧାନ, ଜିଲା ସତସଙ୍ଗ ପ୍ରମୁଖ ବନବାସୀ କଲ୍ୟାଣ ଆଶ୍ରମର ବିରାଜ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।

କୁଇ ସମାଜର ସ୍ବାଭିମାନ ତଥା ଅନୁପ୍ରବେଶକାରୀଙ୍କୁ ବନ୍ଦ କରିବା। ଅନୁସୂଚିତ ଜନ ଜାତି ସମ୍ପ୍ରଦାୟର କ୍ଲାମ୍ବୁ ବା ଗୋତ୍ର ପରିଚୟ ସୃଷ୍ଟି କରିବା ପାଇଁ ଜିଲାର ୧୨ଟି ସ୍ଥାନରେ ଫୁଟବଲ ପ୍ରତିଯୋଗିତା କରାଯାଉଛି। ୨୦୦୮ରୁ ପ୍ରତିଯୋଗିତା ମାଧ୍ୟମରେ କ୍ଲାମ୍ବୁ ଏକତ୍ରିତ ଓ ଚିହ୍ନଟ କରାଯାଉଛି। କରୋନା ପାଇଁ ପ୍ରତିଯୋଗୀତା ବନ୍ଦ ରହିଥିବା ବେଳେ ଚଳିତ ଜାତୀୟ କ୍ରୀଡ଼ା ଦିବସଠାରୁ ପୁଣି ଏହି ପ୍ରତିଯୋଗିତା ଆରମ୍ଭ କରାଯାଇଛି। ପ୍ରତିଯୋଗିତା ଦ୍ୱାରା ନିଜ ଗୋତ୍ର ଓ ବଂଶଧର ପରିବାର ଲୋକଙ୍କୁ ଚିହ୍ନଟ କରାଯାଇପାରୁଥିବା ମୁଖ୍ୟ ଅତିଥି କହିଛନ୍ତି।