ଜିଲାସ୍ତରୀୟ କ୍ଷୁଦ୍ର ଲୋକ ଅଦାଲତ

କେନ୍ଦୁଝର,୧୧ା୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲା କୋର୍ଟ ମଧ୍ୟରେ ଜିଲାସ୍ତରୀୟ କ୍ଷୁଦ୍ର ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। କୋଭିଡ୍‌-୧୯ ମାର୍ଗଦର୍ଶିକା ଅନୁଯାୟୀ ଉକ୍ତ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲା ଓ ଦୌରାଜଜ୍‌ ବେଣୁଧର ପାତ୍ର ଉପସ୍ଥିତ ରହି ଲୋକ ଅଦାଲତର ଶୁଭାରମ୍ଭ କରିଥିଲେ। କେନ୍ଦୁଝର ଜିଲା କୋର୍ଟ ସମେତ ଅତିରିକ୍ତ ଜିଲା କୋର୍ଟ ଆନନ୍ଦପୁର ଓ ଚମ୍ପୁଆରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। କରୋନା ମହାମାରୀ ପରିପ୍ରେକ୍ଷୀରେ କେନ୍ଦୁଝର ଜିଲା ଶନିବାର ଓ ରବିବାର ଶଟଡାଉନ୍‌ ରହୁଥିବାରୁ ଶନିବାର ପରିବର୍ତ୍ତେ ଲୋକ ଅଦାଲତ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସମୁଦାୟ ମୋଟରଯାନ ଦୁର୍ଘଟଣା କେଶ ୧୧୯ଟି ବିଚାର କରାଯାଇ ୨୬ଟି ଫଇସଲା ହୋଇ ସେଥିମଧ୍ୟରୁ ୭୧ ଲକ୍ଷ ୯୧ ହଜାର ଟଙ୍କା ଆଦାୟ ହୋଇଛି। ଜିଲା ଜଜ୍‌ ବେଣୁଧର ପାତ୍ର ଓ ଅତିରିକ୍ତ ଜିଲା ଜଜ୍‌ ଲୋକନାଥ ସାହୁଙ୍କ କୋର୍ଟରେ ଏହି ମାମଲା ବିଚାର ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପ୍ରାଧିକରଣ ସଚିବ ସୌଦାମିନୀ ବିଶ୍ୱାଳ, ରେଜିଷ୍ଟ୍ରାର ଡ଼. ମମତା ମହାନ୍ତି ଲୋକ ଅଦାଲତ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ। ଆଇନ ସେବା ପ୍ରାଧିକରଣ ଓ ବିଭିନ୍ନ କୋର୍ଟର କର୍ମଚାରୀମାନେ ଉପସ୍ଥିତ ଥିଲେ।
ଫଟୋ- ଲୋକ ଅଦାଲତରେ ବିଭିନ୍ନ ମାମଲାର ଶୁଣାଣି କରାଯାଉଛି।