Categories: ଜାତୀୟ

ମସ୍‌ଜିଦ ପ୍ରବେଶ ବନ୍ଦ କଲେ ଜିଲାପାଳ

ଔରଙ୍ଗାବାଦ, ୧୭ା୭ : ମହାରାଷ୍ଟ୍ରର ଜଲଗାଁଓ ଜିଲାରେ ଥିବା ଏକ ମସ୍‌ଜିଦ ପରିସରକୁ ପ୍ରବେଶ ଉପରେ ଜିଲାପାଳ ନିଷେଧାଦେଶ ଲଗାଇବା ପରେ ଏହାକୁ ବିରୋଧ କରି ପରିଚାଳନା ଟ୍ରଷ୍ଟ ବମ୍ବେ ହାଇକୋର୍ଟଙ୍କ ଔରଙ୍ଗାବାଦ ବେଞ୍ଚ୍‌ଙ୍କ ଦ୍ୱାରସ୍ଥ ହୋଇଛି। ମସ୍‌ଜିଦ ଢାଞ୍ଚାରେ ମନ୍ଦିର ଆକୃତି ରହିଥିବା ଅଭିଯୋଗ ପରେ ଜିଲାପାଳ ସେଠାରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ପିଟିଶନର ଶୁଣାଣି ଆସନ୍ତା ୧୮ରେ ହେବ ବୋଲି ଟ୍ରଷ୍ଟର ଓକିଲ ଏସ୍‌.ଏସ୍‌. କାଜି କହିଛନ୍ତି। ଜୁମ୍ମା ମସଜିଦ ଟ୍ରଷ୍ଟ କମିଟି ପକ୍ଷରୁ ଏହାର ଅଧ୍ୟକ୍ଷ ଅଲତାଫ ଖାନ୍‌ ଦାଏର କରିଥିବା ପିଟିଶନରେ ଜିଲାପାଳ ଲଗାଇଥିବା ନିଷେଧାଦେଶ ମନମାନି ଏବଂ ବେଆଇନ ବୋଲି ଦର୍ଶାଇଛନ୍ତି। ମସ୍‌ଜିଦ ଚାବି ଏରାଣ୍ଡୋଲ ମ୍ୟୁନିସିପାଲ କାଉନସିଲ୍‌ର ମୁଖ୍ୟ ଅଧିକାରୀଙ୍କୁ ହସ୍ତକ୍ଷେପ କରିବା ଲାଗି ଜିଲାପାଳ ଟ୍ରଷ୍ଟକୁ ନିର୍ଦ୍ଦେଶ ଦେଇଥିଲେ। ପିଟିଶନରେ କୁହାଯାଇଛି, ବହୁ ଦଶନ୍ଧି ହେଲା ଉକ୍ତ ମସ୍‌ଜିଦ ରହିଥିବାବେଳେ ମହାରାଷ୍ଟ୍ର ସରକାର ଏହାର ଢାଞ୍ଚାକୁ ପୁରାତନ ତଥା ଐତିହାସିକ କୀର୍ତ୍ତିରାଜି ଘୋଷଣ କରିଛନ୍ତି। ସୁରକ୍ଷିତ କୀର୍ତ୍ତିରାଜି ତାଲିକାରେ ଏହାକୁ ସାମିଲ କରାଯାଇଛି। ଟ୍ରଷ୍ଟ ମସ୍‌ଜିଦର ସମ୍ପୂର୍ଣ୍ଣ ଯତ୍ନ ନେଇଆସୁଛି, ଯାହା ଉପରେ ପ୍ରତ୍ନତତ୍ତ୍ୱ ବିଭାଗ କିମ୍ବା ରାଜ୍ୟ ସରକାରଙ୍କର କୌଣସି ଆପତ୍ତି ଅଭିଯୋଗ ନାହିଁ। ତେବେ ଗତ ମେ’ରେ ପାଣ୍ଡଭଓ୍ବାଡ଼ା ସଂଘର୍ଷ ସମିତି ଜଲଗାଁଓର ଏରାଣ୍ଡୋଲ ତାଲୁକରେ ଅସ୍ଥିରତା ସୃଷ୍ଟି ଲାଗି ଜିଲାପାଳଙ୍କୁ ଏକ ଆବେଦନ ପତ୍ର ଦେଇଥିଲେ। ଉକ୍ତ ପୁରାତନ କୀର୍ତ୍ତିରାଜିରେ ମନ୍ଦିର ଆକୃତି ରହିଥିବା ସେମାନେ ଦାବି କରି ସେଠାରୁ ମୁସଲମାନ ସମ୍ପ୍ରଦାୟଙ୍କୁ ବାହାର କରାଯିବାକୁ ନିବେଦନ କରିଥିଲେ।

Share