ଗାଁ ପିଣ୍ଡିରେ ବସି ଲୋକଙ୍କ ଦୁଃଖ ଶୁଣିଲେ ଜିଲାପାଳ

ମହାକାଳପଡ଼ା,୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ରାଜ୍ୟ ସରକାର ଗ୍ରାମାଞ୍ଚଳ, ଉପାନ୍ତ ଅଞ୍ଚଳରେ ବୁଲି ଲୋକଙ୍କ ଦୁଃଖ ବୁଝିବା ପାଇଁ ଜିଲାପାଳଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେହିପରି ଉପାନ୍ତ ଅଞ୍ଚଳରେ ଲୋକମାନଙ୍କ ସହ ସିଧାସଳଖ ଯୋଡ଼ି ହୋଇ ଦୁଃଖ ବୁଝିବା ପାଇଁ ଜିଲାପାଳ ନିଜେ ଉପାନ୍ତ ଅଞ୍ଚଳରେ ବାଇକ୍‌ରେ ବୁଲିଥିଲେ। ଶୁକ୍ରବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଉପାନ୍ତ ଅଞ୍ଚଳ ବତିଘର ପଞ୍ଚାୟତରେ ବାଇକ୍‌ ଚଢ଼ି ଲୋକମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଗଁା ବରଗଛ ପିଣ୍ଡିରେ ବସି ଲୋକଙ୍କ ଦୁଃଖ ଶୁଣିଲେ। କିପରି ସମସ୍ୟା ସମାଧାନ ହେବ ଗଁା ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବତିଘର ପଞ୍ଚାୟତ ଗସ୍ତ ପୂର୍ବରୁ ପେଟଛେଲା ପଞ୍ଚାୟତର ପେଟଛେଲା ଗଁା ମୁଣ୍ଡ ବରଗଛ ପିଣ୍ଡିରେ ବସି ଲୋକଙ୍କ ସହ ଆଲୋଚନା କରିଥିଲେ। ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ, ପାନୀୟ ଜଳ ସମସ୍ୟା, ଗଁାକୁ ସବୁଦିନିଆ ରାସ୍ତା ନିର୍ମାଣ, ଚାଷ ଜମିକୁ ଲୁଣା ପାଣି ପ୍ରବେଶକୁ ନେଇ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବା, ଜଳ ନିକାସ ବିଭାଗ ନାଳ କାର୍ଯ୍ୟ ଅଧାପନ୍ତରିଆ କରି ବିଭାଗୀୟ ଅଧିକାରୀଙ୍କ ଅବହେଳା ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ ସ୍ଥାନୀୟ ଲୋକେ କରିଥିଲେ। ସେହିପରି ଚାଷ ଜମି ପରିଦର୍ଶନ କରିଥିଲେ। ପେଟଛେଲା ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଙ୍କଠାରୁ ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯୋଗୁ କ’ଣ କ୍ଷତି ହେଉଛି ପଚାରି ବୁଝିଥିଲେ। ପିଲାମାନେ ବୃକ୍ଷ ରୋପଣ ଓ ପ୍ଲାଷ୍ଟିକ ବର୍ଜନ ସମ୍ପର୍କରେ ଜିଲାପାଳ କହିଥିଲେ। ଲୋକମାନଙ୍କଠାରୁ ପେଟଛେଲା ମୌଜାର ବହୁବିଧ ସମସ୍ୟା ସମାଧାନ ପାଇଁ ଜିଲାପାଳ ପ୍ରତିଶ୍ରୁତି ଦେଇଥିଲେ। ପରେ ପେଟଛେଲା ଗଁା ନେତାଜୀ ସୁବାଷ ବୋଷ କ୍ଲବ ପରିସରରେ ଜିଲାପାଳ ବୃକ୍ଷରୋପଣ କରିଥିଲେ। ପରେ ଅପରାହ୍ନରେ ବତିଘର ପଞ୍ଚାୟତର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଜିଲାପାଳଙ୍କ ଗସ୍ତ ସମୟରେ ବିଡିଓ ସାଗର କୁମାର ନନ୍ଦ, ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ନେଚର୍ସ କ୍ଲବ ମୁଖ୍ୟ ମଧୁସ୍ମିତ ପତି, ପେଟଛେଲା ସରପଞ୍ଚ ପ୍ରସନ୍ନ କୁମାର ବେହେରା, ସମିତିସଭ୍ୟ ସତ୍ୟବ୍ରତ ବେହେରା, ପୂର୍ବତନ ସରପଞ୍ଚ ନାଥ କୁମାର ଭୋଳ, ସାମାଜିକ କର୍ମୀ ବାଦଲ କର, ନିତାଇ ମଣ୍ଡଳଙ୍କ ସମେତ ବତିଘର ପଞ୍ଚାୟତ ସରପଞ୍ଚ ଶିବାନୀ ବିଜୁଳିଙ୍କ ସମେତ ବହୁସଂଖ୍ୟାରେ ମହିଳାମାନେ ଉପସ୍ଥିତ ଥିଲେ।

Share