ପାଟଣା,୧୦ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭାଗୃହରେ ସୋମବାର ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣି ହୋଇଥିଲା। ତେବେ ଖୋଦ ଜିଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କ ଅନୁପସ୍ଥିତ ରହିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏଥିରେ ମୋଟ ୭୬ଟି ଲିଖିତ ଅଭିଯୋଗର ଶୁଣାଣି ହୋଇଥିଲା। ୪ଜଣ ଦିବ୍ୟାଙ୍ଗଙ୍କ ମଧ୍ୟରୁ ୨ଜଣଙ୍କୁ ବ୍ୟାଟେରି ଚାଳିତ ଓ ୨ଜଣଙ୍କୁ ମାନୁଆଲ ହ୍ବିଲ ଚେୟାର ବଣ୍ଟନ କରାଯାଇଥିଲା।
ଅଭିଯୋଗଗୁଡ଼ିକ ମଧ୍ୟରେ ପାନୀୟ ଜଳ ଯୋଗାଣ, ଚାଷଜମିକୁ ଜଳ ଯୋଗାଣ, ରାଶନକାର୍ଡରେ ସଂଯୋଗ ଆବାସ ଯୋଜନା, ଦିବ୍ୟାଙ୍ଗ, ବିଧବା, ବାର୍ଦ୍ଧକ୍ୟ ଭତ୍ତା ରାଶନକାର୍ଡ ଆଦି ଅନ୍ତର୍ଭୁକ୍ତ ଥିଲା।
ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ରାଜେନ୍ଦ୍ର କୁମାର ପ୍ରଧାନ ଅଭିଯୋଗ ଶୁଣାଣି କରିଥିଲେ। ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗ ଭୂଷଣ, ଆଡିଶନାଲ ଏସ୍ପି ହରପ୍ରିୟା ନାଏକ, ଜିଲା ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ବସନ୍ତ କୁମାର ପାତ୍ର, ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ, ଡିଡବ୍ଲ୍ୟୁଓ ପ୍ରବୀର ଦେଓ, ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟ, ତହସିଲଦାର ଲୀଳାବତୀ ନାୟକ, ଏସ୍ଡିପିଓ ଘଟଗାଁ ବିଜୟ କୃଷ୍ଣ ମହାପାତ୍ର, ରେଞ୍ଜର ବନବିହାରୀ ସର୍ଦ୍ଦାର, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡା.ଶୁଭେନ୍ଦୁ ସାଗର କୁମାର ନାଏକ, ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତ, ସହକାରୀ ଯନ୍ତ୍ରୀ ସିଦ୍ଧ ମାଝୀ, ସାମାଜିକ ସୁରକ୍ଷା ଅଧିକାରୀ ଅଭୟ କୁମାର ବେହେରା, ଜିପିଡିଓ ରଶ୍ମିରେଖା ମହାନ୍ତି, ପାଟଣା ଥାନାଧିକାରୀ ମାନସ କୁମାର ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ। ଏତଦ୍ବ୍ୟତୀତ ବ୍ଲକ ଓ ଜିଲାସ୍ତରୀୟ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଏପିଇଓ ଦୀପକ ବେହେରା, ବିଏଲସି ସସ୍ମିତା ସାହୁ, ବ୍ଲକ କର୍ମଚାରୀ ମିତା ନାଏକ,ସଂଘମିତ୍ରା ବାରିକ, ଡିଓ ବିନୋଦ ସାହୁ ପ୍ରମୁଖ ପରିଚାଳନା କରିଥିଲେ।