ତୁମୁଡ଼ିବନ୍ଧ,୧୫।୪(ଦିପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ସଭାଗୃହରେ ମଙ୍ଗଳବାର ପୂର୍ବାହ୍ନରେ କନ୍ଧମାଳ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତୁମୁଡିବନ୍ଧ ବ୍ଳକର ୧୧ ଗୋଟି ପଞ୍ଚାୟତରୁ ଲୋକମାନେ ଆସି ଜିଲାପାଳ ଅମୃତ ଋ଼ତୁରାଜ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସ୍ନେହାଶିଷ ସାହୁ ଏବଂ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦିଙ୍କ ନିକଟରେ ନିଜ ନିଜର ଅସୁବିଧା ସହିତ ନିଜ ଗ୍ରାମର ବିଭିନ୍ନ ସମସ୍ୟାକୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। କାର୍ଯ୍ୟକ୍ରମରେ ମୋଟ ୪୩ଟି ଅଭିଯୋଗ ହୋଇଛି। ସେଥିମଧ୍ୟରୁ ୧୨ ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୩୧ଟି ଗୋଷ୍ଠୀଗତ ଅଭିଯୋଗ ହୋଇଛି। ଉକ୍ତ ଅଭିଯୋଗକୁ ଆଧାର କରି ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀଙ୍କୁ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଜନ ପ୍ରତିନିଧି ଭାବେ ତୁମୁଡିବନ୍ଧ ବ୍ଳକ ଅଧ୍ୟକ୍ଷା ବାସନ୍ତି ମାଝି ଉପସ୍ଥିତ ଥିଲେ। ସେହିପରି ଜିଲାସ୍ତରୀୟ ବିଭିନ୍ନ ଅଧିକାରୀମାନେ ଯୋଗ ଦେଇଥିଲେ।


