ବିଜେଡିରୁ ଇସ୍ତଫା ଦେଲେ ଜିଲା ସଭାପତି: ନବୀନଙ୍କୁ ଲେଖିଲେ ଚିଠି

ଫୁଲବାଣୀ,୨୩ା୧୦(ରାକେଶ କୁମାର ରାଉତ):କନ୍ଧମାଳ ଜିଲା ବିଜେଡି ସଭାପତି ଅଙ୍ଗଦ କହଁର ମଙ୍ଗଳବାର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଫୁଲବାଣୀର ପୂର୍ବତନ ବିଧାୟକ ଅଙ୍ଗଦ ଗତ ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଟିକେଟ ପାଇ ନ ଥିଲେ। ବିଜେଡି ଅନ୍ୟ ଜଣଙ୍କୁ ପ୍ରାର୍ଥୀ କରିଥିଲା। ସେବେଠୁ ସେ ଅସନ୍ତୁଷ୍ଟ ଥିଲେ। ଦଳର ଜିଲା ସଭାପତି ଭାବେ ଦାୟିତ୍ୱ ତୁଲାଉଥିଲେ ମଧ୍ୟ ନିର୍ବାଚନରେ ସକ୍ରିୟ ନ ଥିବା ଦେଖାଯାଇଥିଲା। ମଙ୍ଗଳବାର କଳ୍ପନାଜଳ୍ପନାର ଅନ୍ତ ଘଟାଇ ଅଙ୍ଗଦ ଜିଲା ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଶାରୀରିକ ଅସୁସ୍ଥତା ଦର୍ଶାଇ ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଚିଠି ପଠାଇଛନ୍ତି। ଏହି ଘଟଣାରୁ ବିଜେଡିରେ ସବୁ ଠିକ୍‌ ଚାଲି ନ ଥିବା ଆଲୋଚନା ହେଉଛି।

୨୦୨୪ ଜାନୁଆରୀ ପର୍ଯ୍ୟନ୍ତ ବରିଷ୍ଠ ନେତା ସରୋଜ କର୍ଣ୍ଣ ଜିଲା ସଭାପତି ରହିଥିଲେ। ପରେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କୁ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ପଦବୀରେ ଅବସ୍ଥାପିତ କରାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କ ସ୍ଥାନରେ ଫୁଲବାଣୀ ବିଧାୟକ ଅଙ୍ଗଦଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଅଙ୍ଗଦଙ୍କୁ ବିଧାୟକ ଟିକେଟରୁ ଦଳ ବାଦ ଦେଇଥିବାରୁ ନିର୍ବାଚନ ସମୟରେ ସେ ଖାପଛଡ଼ା ରହୁଥିବା ଲକ୍ଷ୍ୟ କରାଯାଇଥିଲା। ଅପରପକ୍ଷରେ ତାଙ୍କ ନେତୃତ୍ୱରେ ନିର୍ବାଚନ ଲଡ଼ି ଦଳ ଜିଲାର ୩ଟି ଆସନ ମଧ୍ୟରୁ ୨ଟି ହାତଛଡ଼ା କରିଥିଲା। କିଛି ଦିନ ଧରି ଜିଲା ସଭାପତି ପରିବର୍ତ୍ତନ ନେଇ ଗୁଞ୍ଜରଣ ଶୁଭୁଥିବା ବେଳେ ଅଙ୍ଗଦଙ୍କ ଇସ୍ତଫା ଏଥିରେ ଇନ୍ଧନ ଯୋଗାଇଛି। ଅଙ୍ଗଦଙ୍କ ଇସ୍ତଫା ପରେ ନୂଆ ସଭାପତି ନେଇ ପୁଣି ଚର୍ଚ୍ଚା ଜୋର ଧରିଛି।

Share