Advertisement

ଜିଲାବ୍ୟାପୀ ହରତାଳ ଆଜି

ବାରିପଦା ଅଫିସ, ୨୦।୩: କୁଡୁମୀ ଜାତିକୁ ପୁନଃ ଆଦିବାସୀ ମାନ୍ୟତା ଦାବିରେ କୁଡୁମୀ ସେନା ପକ୍ଷରୁ ମଙ୍ଗଳବାର ମୟୂରଭଞ୍ଜ ଜିଲାରେ ୬ଘଣ୍ଟିଆ ହରତାଳ ଓ ବନ୍ଦ ଡାକରା ଦିଆଯାଇଛି। ଏନେଇ କୁଡୁମୀ ସେନାର ରାଜ୍ୟ ସଭାପତି ଜୟୀମୁନି ମହାନ୍ତଙ୍କ ନେତୃତ୍ୱରେ ସୋମବାର ବାରିପଦା ସହରରେ ଏକ ମଶାଲ ଶୋଭାଯାତ୍ରା ପରିକ୍ରମା ପୂର୍ବକ ଶକ୍ତି ପ୍ରଦର୍ଶନ କରାଯାଇଛି। କୁଡୁମୀ ସମ୍ପ୍ରଦାୟକୁ ୧୯୫୦ ସେପ୍ଟେମ୍ବର ୬ରୁ ଆଦିବାସୀ ତାଲିକାରୁ ବାଦ୍‌ ଦିଆଯାଇଛି। ପରେ ପୁନଃ ଆଦିବାସୀ ତାଲିକାଭୁକ୍ତ ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ପୂରଣ ହେଉନାହିଁ। କୁଡୁମୀ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟକୁ କୋଣସି ସୁପାରିଶ୍‌ କରି ନ ଥିବା ଅଭିଯୋଗ ହୋଇଛି। ଏଣୁ ଆଦିବାସୀ ମାନ୍ୟତା ସହ କୁଡୁମାଲି ଭାଷାକୁ ସମ୍ବିଧାନରେ ସାମିଲ କରିବା ଆଦି ଦାବି ନେଇ ସ୍ବାଧୀନତା ସଂଗ୍ରାମୀ ରଘୁନାଥ ମହାତୋଙ୍କ ଜୟନ୍ତୀରେ ମଙ୍ଗଳବାର ସକାଳ ୬ରୁ ୧୨ଟା ପର୍ଯ୍ୟନ୍ତ ହରତାଳ (ହୁଡକା ଜାମ୍‌) ସହ ବନ୍ଦ ପାଳନ ହେବ। କୁଡୁମୀ ସେନାର ଶତାଧିକ ମହିଳା ଓ ପୁରୁଷ କର୍ମକର୍ତ୍ତା ଏଥିରେ ସାମିଲ ହେବେ। ତେବେ ଏହି ସମୟରେ ଜରୁରୀ ସେବା, ପରୀକ୍ଷା ଓ ପରୀକ୍ଷାର୍ଥୀଙ୍କୁ ଆନ୍ଦୋଳନରୁ ବାଦ୍‌ ଦିଆଯିବ ବୋଲି କୁହାଯାଇଛି।
ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ପାଇଁ ଆଗକୁ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ସଭାପତି ଜୟମୁନୀ କହିଛନ୍ତି। ଜିଲା ସଭାପତି ଡମ୍ବରୁଧର ମହାନ୍ତ, ମହିଳା ସେନା ସଭାପତି ସୁଜାତା ମହାନ୍ତ, ଜିଲା କାର୍ଯ୍ୟକାରୀ ସଭାପତି ସାଇରାମ ମହାନ୍ତ, ଉପେନ୍ଦ୍ର ମହାନ୍ତ, ବଳଭଦ୍ର ମହାନ୍ତ, ଯୁବ ସେନାର ବରୁଣ ମହାନ୍ତ, ଗୌତମ ମହାନ୍ତ ପ୍ରମୁଖ ଶୋଭାଯାତ୍ରାରେ ସାମିଲ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share