Advertisement

ଗୋହିରିବାଦୁ ଆଶ୍ରମ ବିଦ୍ୟାଳୟରେ ଅବ୍ୟବସ୍ଥା

ନୂଆଗାଁ,୧୧।୮(ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଗୋହିରିବାଦୁ ଆଶ୍ରମ ବିଦ୍ୟାଳୟ ନାନା ଅବ୍ୟବସ୍ଥା ମଧ୍ୟରେ ଚାଲିଛି । ଉକ୍ତ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରୀମାନେ ଶ୍ରେଣୀ ଗୃହରେ ରହୁଥିବା ବେଳେ ମଧ୍ୟାହ୍ନ ଭୋଜନରେ ଛାତ୍ରୀଛାତ୍ରମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆ୍‌ଯାଉଥିବା ଅଭିଯୋଗ ହେଉଛି।
ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରୀଛାତ୍ରୀମାନେ ପାଠ ପଢିବା ପାଇଁ ନୂଆଗାଁ ବ୍ଲକ ଗୋହିରିବାଦୁଠାରେ ୧୯୫୧ରେ ଏହି ସ୍କୁଲ ପ୍ରତିଷ୍ଠା କରାଯାଇଥିଲା। ଉକ୍ତ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବାର ବ୍ୟବସ୍ଥା ରହିଛି। ସ୍ଥାନୀୟ ଛାତ୍ରୀଛାତ୍ର ଉକ୍ତ ସ୍କୁଲରେ ପଢୁଥିବା ବେଳେ ଜିଲା ତଥା ଜିଲା ବାହାରୁ ଅନୁସୂଚିତ ଜାତି ଓ ଜନ ଜାତିର ଛାତ୍ରୀମାନେ ହଷ୍ଟେଲରେ ରହି ପାଠ ପଢିବାର ସୁବିଧା ମଧ୍ୟ ରହିଛି। ତେବେ ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୧୧ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୯୩ ଜଣ ଛାତ୍ରୀ ଓ ୧୮ ଜଣ ଛାତ୍ର ଅଧ୍ୟୟନ କରୁଛନ୍ତି ା ସେଥି ମଧ୍ୟରୁ ୭୪ ଜଣ ଛାତ୍ରୀ ହଷ୍ଟେଲରେ ରହୁଛନ୍ତି। ଏହି ଅନ୍ତେବାସିନୀମାନଙ୍କ ରହିବା ପାଇଁ ଆବଶ୍ୟକ ହଷ୍ଟେଲ ଗୃହ ନ ଥିବାରୁ ଶ୍ରେଣୀ ଗୃହରେ ଛାତ୍ରୀମାନେ ରହୁଛନ୍ତି। ବାକି ୩ ଶ୍ରେଣୀ ଗୃହରେ ୮ ଗୋଟି ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ବସାଇ ପାଠ ପଢା ଯାଉଛି । ୮ ଟି ଶ୍ରେଣୀର ୧୧୧ ଜଣ ଛାତ୍ରୀଛାତ୍ରଙ୍କୁ ପାଠ ପଢାଇବା ପାଇଁ ମାତ୍ର ୩ ଜଣ ଶିକ୍ଷକ ଅଛନ୍ତି। ପ୍ରଧାନ ଶିକ୍ଷକଙ୍କ ଅବସର ପରେ ନୂତନ ପ୍ରଧାନ ଶିକ୍ଷକ ନିଯୁକ୍ତି ଦିଆ ଯାଇ ନ ଥିବାରୁ ସେହି ଶିକ୍ଷକଙ୍କ ମଧ୍ୟରୁ ଜଣେ ଶିକ୍ଷକ ପ୍ରଧାନ କାମ ତୁଲାଉଛନ୍ତି। ଛାତ୍ରୀଛାତ୍ରମାନଙ୍କୁ ସ୍କୁଲ ଅଭିମୁଖୀ କରାଇବା ପାଇଁ ମଧ୍ୟାହ୍ନ ଭୋଜନରେ ପୁଷ୍ଟିକର ଖାଦ୍ୟ ଦେବାର ବ୍ୟବସ୍ଥା ରହିଥିବା ବେଳେ ଗୋହିରିବାଦୁ ଆଶ୍ରମ ବିଦ୍ୟାଳୟରେ ନିମ୍ନମାନ ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହେଉଛି । ମଧ୍ୟାହ୍ନ ଭୋଜନରେ ହରଡ ଡାଲି ଦେବାର ନିୟମ ରହିଥିବା ବେଳେ ପାଣିଆ ମସୁର ଡାଲିରେ ମାତ୍ରାଧିକ ଆଳୁ ପକାଇ ଖାଇବାକୁ ଦିଆ ଯାଉଛି । ସ୍କୁଲର ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା ଶିକ୍ଷକ ସୁଧୀର କୁମାର ମହଲଙ୍କୁ ପଚାରିବାରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ନେଇଛନ୍ତି। ତେଣୁ ମୁଁ କିଛି କହି ପାରିବି ନାହିଁ ବୋଲି ସେ କହିଛନ୍ତି। ନୂଆଗାଁ ବ୍ଲକ ସମାଜ ମଙ୍ଗଳ ଅଧିକାରୀ ଦାୟିତ୍ୱରେ ଥିବା ଜିପିଓ ସାଧୁ ଚରଣ ସାହୁଙ୍କୁ ପଚାରିବାରେ ମୁଁ କେବଳ ଦାୟିତ୍ୱରେ ଅଛି । ମଧ୍ୟାହ୍ନ ଭୋଜନ ବାବଦରେ ବୁଝି ଜଣାଇବି ବୋଲି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share