ଜଳସେଚନ ବିଭାଗର ମନମୁଖି କାର୍ଯ୍ୟ ନେଇ ବିକ୍ଷୋଭ

ବାରିପଦା,୧୨ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା କ୍ଷୁଦ୍ର ଜଳସେଚନ ବିଭାଗର ମନମୁଖି କାର୍ଯ୍ୟ ଓ ଚରମ ଅବହେଳା ପ୍ରତିବାଦରେ ବୁଧବାର ଅଣରାଜନୈତିକ ସଙ୍ଗଠନ ଭଞ୍ଜସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଶତାଧିକ ଲୋକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଏ ସଂକ୍ରାନ୍ତରେ ଏକ ଦାବିପତ୍ର ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ୭ଦିନ ମଧ୍ୟରେ ଦାବିଗୁଡ଼ିକୁ ପୂରଣ କରିବା ପାଇଁ ସରକାର ସରକାରୀ ସ୍ତରରେ ଘୋଷଣା କରିବାକୁ ନିବେଦନ କରିଛନ୍ତି। ଦାବିଗୁଡ଼ିକ ବାବଦରେ ବାରମ୍ବାର ବିଭାଗକୁ ଅବଗତ କରିବା ସତ୍ତ୍ୱେ ଜନହିତ କାର୍ଯ୍ୟରେ ନିଦାବିଷ୍ଣୁ ସାଜି ବସିଥିବା ବେଳେ ଠିକାଦାର ପ୍ରୀତିକୁ ଅଧିକ ପ୍ରାଥମିକତା ଦେଉଛନ୍ତି। ଫଳରେ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ସାମାନ୍ୟ ଟିକେ ବର୍ଷାରେ ମଧ୍ୟ ସହରର ଅନେକ ସ୍ଥାନରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ସହିତ ନାଳ ନର୍ଦ୍ଦମା ପାଣି ଲୋକଙ୍କ ଘରେ ଓ ଦୋକାନ ବଜାରରେ ପଶୁଛି। ଏହି ପାଣି ଅନେକ ସ୍ଥାନରେ ଜମି ରହିବାରୁ ମଶାବଂଶ ବୃଦ୍ଧି ପରେ ପ୍ରାଦୁର୍ଭାବ ମଧ୍ୟ ବଢ଼ି ଚାଲିଛି। ବାରିପଦା ସହର ମଧ୍ୟରେ ଯାଇଥିବା ନଦୀ ନାଳଗୁଡିକରୁ ଦୀର୍ଘ ୮ ବର୍ଷରୁ ଊର୍ଦ୍ଧ୍ୱ ହେଲାଣି ପଙ୍କ ଉଦ୍ଧାର ଓ ଦଳ ସଫେଇ ନ ହେବା ସହିତ
ନଦୀର ଉଭୟ ପାଶର୍‌ବକୁ ପଥର ପ୍ୟାକିଙ୍ଗ ନ ହେବା ଦ୍ବାରା ଛୋଟ ଛୋଟ ବର୍ଷାରେ ପାଣି ନିଷ୍କାସନ ନ ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପୁଣି ଠିକାଦାରଙ୍କ ପ୍ରତି ଅହେତୁକ ଅନୁକମ୍ପା ଯୋଗୁ ବାରିପଦା ସହର, ଶ୍ୟାମାଖୁଣ୍ଟା ବ୍ଲକ, ଖୁଣ୍ଟା ବ୍ଲକ ଏରିଆରେ ବାରିପଦା କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ହେଉଛି।
ଦାବିଗୁଡ଼ିକ ମଧ୍ୟରେ ଯୁଦ୍ଧକାଳୀନ ଭିଭିରେ ବାରିପଦା ସହର ମଧ୍ୟରେ ଯାଇଥିବା ନଦୀ ନାଳଗୁଡ଼ିକରୁ ପଙ୍କ ଉଦ୍ଧାର ସହିତ ଦଳ ସଫେଇ କାର୍ଯ୍ୟ କରିବା, ନଦୀ ନାଳଗୁଡ଼ିକର ଉଭୟ ପାଶର୍‌ବରେ ଠିକାଦାରଙ୍କୁ ସୁହାଇଲା ଭଳିଆ କଂକ୍ରିଟ ଓ୍ବାଲ୍‌ ବଦଳରେ ପଥର ପ୍ୟାକିଂ କରିବା, ବାରିପଦା କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ବାରିପଦା ସହର, ଶ୍ୟାମାଖୁଣ୍ଟା ବ୍ଲକ ଓ ଖୁଣ୍ଟା ବ୍ଲକରେ ହୋଇଥିବା ନିମ୍ନମାନର କାର୍ଯ୍ୟ, କାର୍ଯ୍ୟ ନ ହୋଇ ଉଠିଥିବା ବିଲ୍‌, ଅନ୍ୟାନ୍ୟ ଅସାଧୁ କାର୍ଯ୍ୟ ଏବଂ ଏହିଭଳି ବେନିୟମ କାର୍ଯ୍ୟକୁ ସମର୍ଥନ ଦେଇଥିବା କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଧାରା ଓ ଆର୍ଥିକ ବ୍ୟବସ୍ଥା ଉପରେ ମଧ୍ୟ ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଅଭିଯୋଗରେ ଦର୍ଶାଇଛନ୍ତି।