ପୁଣି ଥରେ ଧୋଇଗଲା ଡାଇଭର୍ସନ ରୋଡ୍‌

ନୂଆଗାଁ,୨୩।୬(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ୫୭ନଂ. ଜାତୀୟ ରାଜପଥ ସୋରଡ଼ାଠାରୁ ଗୌଡ଼ ଚାଞ୍ଚେରାପଲୀ ଦେଇ ଯାଇଥିବା ଆର.ଡି. ରାସ୍ତାର ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି ା ଗତ ମାସରେ ସାମାନ୍ୟ ବର୍ଷାରେ ଡାହୁକା ନଦୀରେ ଡାଇଭର୍ସନ ରୋଡ଼ ଧୋଇ ଯାଇଥିଲା। ବାରମ୍ବାର ଅଭିଯୋଗ କରିବା ପରେ ବି ଠିକାଦାର ସେହି ରାସ୍ତା ମରାମତି କରି ନ ଥିଲେ । ଶେଷରେ ସ୍ଥାନୀୟ ସରପଞ୍ଚ ନିଜ ଅର୍ଥରେ ଡାଇଭର୍ସନ ରୋଡ ମରାମତି କରିଥିଲେ। ସେହି ରାସ୍ତା ପୁଣି ଥରେ ମଙ୍ଗଳବାର ବର୍ଷାରେ ଧୋଇଯାଇଛି। ଫଳରେ ଜାତୀୟ ରାଜପଥରୁ ଜଗନ୍ନାଥପ୍ରସାଦ, ଗୌଡ଼ଚାଞ୍ଚେରାପଲି, କନ୍ଦଳବ ସମେତ ୩ ଗାଁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି।

ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ. ଜାତୀୟ ରାଜପଥ ସୋରଡାଠାରୁ ଗୌଡ଼ଚାଞ୍ଚେରାପଲି ଦେଇ ଯାଇଥିବା ଆର.ଡି. ରାସ୍ତା ଡାହୁକା ନଦୀରେ ଥିବା ପୋଲଟି ଗତ ୨ ବର୍ଷ ତଳେ ଭୁଶୁଡ଼ି ପଡିଥିଲା। ଲୋକମାନଙ୍କ ଯାତାୟାତ ଏକପ୍ରକାର ବନ୍ଦ ହୋଇଯାଇଥିଲା। ଅଞ୍ଚଳବାସୀ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଗୁହାରି କରିବା ପରେ ସେହି ସ୍ଥାନରେ ପୋଲ ନିର୍ମାଣ ସହିତ ଜାତୀୟ ରାଜପଥଠାରୁ ୩.୫ କିଲୋମିଟର ରାସ୍ତା ନିର୍ମାଣ କରିବା ପାଇଁ ୩୭୪.୮୧ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରି ଟେଣ୍ଡର ମାଧ୍ୟମରେ ଭୁବନେଶ୍ୱରର ପାଲ୍‌ ଆଣ୍ଡ ପାଲ୍‌ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଠିକାସଂସ୍ଥାକୁ ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା । ଉକ୍ତ କାର୍ଯ୍ୟ ୨୪ା ୮ା ୨୨ ସୁଦ୍ଧା ସାରିବା ପାଇଁ ନିର୍ଦ୍ଦେଶ ରହିଛି ା ପୋଲ ନିର୍ମାଣ ସମୟରେ ନଦୀର ପାଣି ନିଷ୍କାସନ ଓ ଲୋକଙ୍କ ଯାତାୟାତର ସୁବିଧା ପାଇଁ ଏକ ପକ୍କା ଡାଇଭର୍ସନ ରୋଡ ନିର୍ମାଣ କରିବାକୁ ସ୍ଥିର ହୋଇଥିଲା ା ହେଲେ ଠିକାସଂସ୍ଥା ଅଳ୍ପ କିଛି ମାଟି ପକାଇ ଅତି ନିମ୍ନମାନର ଡାଇଭର୍ସନ ରୋଡ ନିର୍ମାଣ କରିଥିଲେ। ସାମାନ୍ୟ ବର୍ଷା ହେଲେ ସେହି ରାସ୍ତା ବାରମ୍ବାର ଧୋଇ ହୋଇଯାଉଛି। ଏ ନେଇ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିଥିଲେ ବି କେହି କର୍ଣ୍ଣପାତ କରୁ ନ ଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ନୂଆଗାଁ ଆର୍‌.ଡି. ବିଭାଗ କନିଷ୍ଠ ଯନ୍ତ୍ରୀ ଶ୍ରୀକାନ୍ତ କୁମାର ସାହୁଙ୍କୁ ପଚାରିବାରେ ଘଟଣାସ୍ଥଳକୁ ଭୁବନେଶ୍ୱରରୁ ଉଚ୍ଚପଦସ୍ଥ ଅଧିକାରୀମାନେ ଆସି ବୁଲି ଦେଖିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି। ପୁଣି ଥରେ ପକ୍କା ଡାଇଭର୍ସନ ରୋଡ ନିର୍ମାଣ କରିବା ପାଇଁ ସମ୍ପୃକ୍ତ ଠିକାଦାରଙ୍କୁ ନିର୍ଦ୍ଦେଶ ଦେବେ ବୋଲି ସେ କହିଛନ୍ତି ା