Categories: ଜାତୀୟ

ଦିଲ୍ଲୀ କୋଟାରୁ ଅନ୍ୟ ରାଜ୍ୟକୁ ପଠାଯିବ ଅକ୍ସିଜେନ

ନୂଆଦିଲ୍ଲୀ,୧୩।୫: ଦିଲ୍ଲୀରେ ଏବେ ସଂକ୍ରମଣ ହାର ୧୪ ପ୍ରତିଶତକୁ ତଳକୁ ଖସିଛି। ଏଥିସହ ହ୍ରାସ ପାଇଛି ଗୁରୁତର ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ଦିଲ୍ଲକୁ ଦୈନିକ ୫୮୨ ମେଟ୍ରିକ ଟନ ଅକ୍ସିଜେନ ଆବଶ୍ୟକ ପଡ଼ୁଛି, ଯାହାକି ସହଜରେ ଉପଲବ୍ଧ ହେଉଛି। ଏଣୁ ବଳକା ଅକ୍ସିଜେନ ଅନ୍ୟ ରାଜ୍ୟକୁ ପଠାଯାଉ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ।

ଗୁରୁବାର ଏକ ଡିଜିଟାଲ ଖବରଦାତା ସମ୍ମିଳନୀରେ ସିସୋଦିଆ କହିଛନ୍ତି, ବଳକା ଅକ୍ସିଜେନକୁ ଅନ୍ୟ ରାଜ୍ୟମାନଙ୍କୁ ପଠାଇବା ପାଇଁ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଛି ଦିଲ୍ଲୀ ସରକାର। ୧୫ ଦିନ ତଳେ ଦିଲ୍ଲୀରେ ସୁନାମି ଭଳି ବୃଦ୍ଧି ପାଉଥିଲା ଆକ୍ରାନ୍ତଙ୍କ ସଂଖ୍ୟା। ୩୫ ପ୍ରତିଶତ ଉପରେ ଥିଲା ସଂକ୍ରମଣ ହାର। ଦୈନିକ ୮୦ ହଜାରରୁ ଏକ ଲକ୍ଷ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଥିଲା। ଆଉ ଦିନକୁ ୨୭ରୁ ୨୮ ହଜାର ନୂଆ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି ହେଉଥିଲେ।

ଏବେ ସଂକ୍ରମଣ ହାର ୧୪ ପ୍ରତିଶତକୁ ଖସି ଆସିଥିବାବେଳେ ଦୈନିକ ୧୦,୪୦୦ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି ହେଉଛନ୍ତି। ସେତେବେଳେ ଆମକୁ ଦୈନିକ ୭୦୦ ମେଟ୍ରିକ ଟନ୍‌ ଦରକାର ଥିଲା। ତେବେ ଆମକୁ କେବଳ ଥରେ ୭୦୦ ମେଟ୍ରିକ ଟନ ଅକ୍ସିଜେନ ମିଳିଛି। କିନ୍ତୁ କେନ୍ଦ୍ର ସରକାର, ସୁପ୍ରିମକୋର୍ଟ ଓ ଦିଲ୍ଲୀ ହାଇକୋର୍ଟଙ୍କ ଯୋଗୁ ଦିଲ୍ଲୀକୁ ଆବଶ୍ୟକ ପରିମାଣର ଅକ୍ସିଜେନ ଯୋଗାଇ ଦିଆଯାଇଥିଲା ବୋଲି ସିସୋଦିଆ କହିଛନ୍ତି।

ବର୍ତ୍ତମାନ ଦୈନିକ ମେଡିକାଲରେ ଭର୍ତ୍ତି ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ଓ ଉପଲବ୍ଧ ଥିବା ବେଡ୍‌ ସଂଖ୍ୟାଙ୍କୁ ହିସାବ କଲେ ଦିଲ୍ଲୀକୁ ଦୈନିକ ୫୮୨ ମେଟ୍ରିକ ଟନ ଅକ୍ସିଜେନର ଆବଶ୍ୟକ ପଡ଼ୁଛି। ଆଜି ଆମେ ଏକ ଦାୟିତ୍ୱାବନ ସରକାର ଭାବେ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଜଣାଇ ଦେଉଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

Share