ମା’-ବାପାଙ୍କୁ ହରାଇଥିବା ଦିବେଶ ମାଟ୍ରିକ ଟପ୍ପର

ଝାରସୁଗୁଡ଼ା ଅଫିସ,୨୯ା୭: କଥାରେ ଅଛି ଇଚ୍ଛାଶକ୍ତି ଥିଲେ ସଫଳତା ଆପଣାଛାଏଁ ମିଳିଥାଏ। ଏହି କଥାର  ବାସ୍ତବତା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲାରେ। ଏହି ଜିଲାର ନିକତିମାଲ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର ଦିବେଶ ବେହେରା ଏ-୧ ଗ୍ରେଡ୍‌ ରଖି ମାଟ୍ରିକ ଟପ୍ପର ହୋଇଛନ୍ତି। ସେ ୫୪୦ ମାର୍କ ରଖିଛନ୍ତି। ଦିବେଶ ଦିନକୁ ୧୪ରୁ ୧୫ ଘଣ୍ଟା ପରିଶ୍ରମ କରୁଥିଲେ। ଭବିଷ୍ୟତରେ ସେ ଭାରତୀୟ ପ୍ରଶାସନିକ ଅଧିକାରୀ ହେବାର ଲକ୍ଷ୍ୟ ରଖିଥିବା କହିଛନ୍ତି। ସବୁଠୁ ଦୁଃଖର କଥା ହେଉଛି ଦିବେଶ ମା’ ବାପାଙ୍କୁ ହରାଇଛନ୍ତି। ବାପା କୃଷ୍ଣଚନ୍ଦ୍ର ବେହେରା ୨୦୧୮ରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ମା’ମଧ୍ୟ ଆରପାରିକୁ ଚାଲିଯାଇଥିଲେ। ତେବେ ମା-ବାପାଙ୍କୁ ହରାଇଥିବା ଦିବେଶ ଜଣେ ସମ୍ପର୍କୀୟଙ୍କ ଘରେ ରହି ପଢୁଥିଲେ। ସେ ତାଙ୍କର ସଫଳତା ତାଙ୍କ ବାପା ମା’ଙ୍କୁ ଉତ୍ସର୍ଗୀକୃତ କରିଥିବା କହିଛନ୍ତି। ତାଙ୍କ ବାପାଙ୍କ ସ୍ବପ୍ନ ଥିଲା ଯେ, ଦିବେଶ ଭାରତୀୟ ପ୍ରଶାସନିକ ଅଧିକାରୀ ହେବେ। ଏଣୁ ବାପାଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଅଧିକ ପରିଶ୍ରମ କରିବେ ବୋଲି ସେ କହିଛନ୍ତି।

Share