Advertisement

ଡିଭାଇନ୍‌ ନ୍ୟୁଜିଲାଣ୍ଡ ଅଧିନାୟିକା

ଓ୍ବେଲିଂଟନ,୯।୭(ପି.ଟି.): ଅଲରାଉଣ୍ଡର ସୋଫି ଡିଭାଇନ୍‌ ନ୍ୟୁଜିଲାଣ୍ଡ ମହିଳା ଦଳର ଫୁଲ୍‌ ଟାଇମ୍‌ ଅଧିନାୟକ ଭାବେ ନିଯୁକ୍ତି ପାଇବେ। ଆମି ସାଟରଥଓ୍ବେଟ୍‌ଙ୍କ ଉତ୍ତରାଧିକାରୀ ଭାବେ ସେ ଏହି ଗୁରୁ ଦାୟିତ୍ୱ ସମ୍ଭାଳିବେ। ମା’ ହେବା ପାଇଁ ଛୁଟି ରେ ଥିବା ଆମି ପ୍ରତ୍ୟାବର୍ତ୍ତନ କରିବା ପରେ ଉପ- ଅଧିନାୟକ ତୁଲାଇବେ ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ ତରଫରୁ ସୂଚନା ଦିଆଯାଇଛି। ଗତ ସେସନ୍‌ରେ ଡିଭାଇନ୍‌ ମଧ୍ୟବର୍ତ୍ତୀକାଳୀନ ଅଧିନାୟିକା ଭାବେ ଦାୟିତ୍ୱ ନେଇ ବେଶ୍‌ ସଫଳତା ହାସଲ କରିଥିଲେ। ତାଙ୍କ ଦୃଢ ନେତୃତ୍ୱ ନେବାର କଳାରେ ପ୍ରଭାବିତ ହୋଇ ନ୍ୟୁଜିଲାଣ୍ଡ କ୍ରିକେଟ ତାଙ୍କ ଫୁଲ୍‌ଟାଇମ୍‌ ଅଧିନାୟିକା ନିଯୁକ୍ତ କରିଛି।
୩୦ ବର୍ଷୀୟା ଡିଭାଇନ୍‌ ୧୦୫ ଦିନିକିଆ, ୯୧ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ଖେଳିଛନ୍ତି ଓ ଦୁଇଟି ଯାକ ଫର୍ମାଟ୍‌ରେ ୪୯୫୪ ରନ ସଂଗ୍ରହ କରିବା ସହ ୧୫୮ଟି ଉଇକେଟ ହାସଲ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମହିଳା କ୍ରିକେଟ ବିଶ୍ୱକପ୍‌ ୨୦୨୧ ଆସନ୍ତବର୍ଷ ନ୍ୟୁଜିଲାଣ୍ଡରେ ଆୟୋଜନ ହେବ। ଏହାକୁ ଦୃଷ୍ଟିରେ ରଖି ଡିଭାଇନ୍‌ଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରାଯାଇଛି। ନେତୃତ୍ୱ ପ୍ରଦାନ କରାଯାଇଥିବାରୁ ଡିଭାଇନ୍‌ ଖୁସି ଜାହିର କରିଛନ୍ତି। ଏହା ମୋ ପାଇଁ ଗର୍ବ ଓ ଗୌରବର ବିଷୟ। ତେବେ ଏହା ଏକ ବଡ଼ ଚ୍ୟାଲେଞ୍ଜ୍‌ । ଏବେ ଦଳ, ଆମ କ୍ରିକେଟ ଓ ଆମ ଟିମ୍‌ ସଂସ୍କୃତି ଠିକ୍‌ ଦିଗରେ ଗତି କରୁଛି ବୋଲି ସେ କହିଛନ୍ତି। ଆମିଙ୍କ ମଳିତ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱଆରୋପ କରିଛନ୍ତି। ଡିଭାଇନ୍‌ଙ୍କ ନିଯୁକ୍ତିକୁ ଦଳର ହେଡ୍‌ କୋଚ୍‌ ବବ୍‌ କାର୍ଟର ସ୍ବାଗତ କରିଛନ୍ତି। ଆସନ୍ତା ସପ୍ତାହରେ ଆରମ୍ଭ ହେବାକୁ ଥିବା ଟ୍ରେନିଂ କ୍ୟାମ୍ପରେ ଡିଭାଇନ ଦାୟିତ୍ୱ ଗ୍ରହଣ କରିବେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share