Categories: ଫୁରସତ

ଈଶ୍ୱରୀୟ ବୃକ୍ଷ

ଭାରତୀୟ ସଂସ୍କୃତିେରେ ନଡ଼ିଆ ବା ଶ୍ରୀଫଳର ଗୁରୁତ୍ୱ ଅବର୍ଣ୍ଣନୀୟ। ନିତି ଦିନିଆ ଜୀବନ ଶୈଳୀଠାରୁ ଆରମ୍ଭ କରି ପୂଜା ପାର୍ବଣ ଆଦି ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ନଡ଼ିଆକୁ ଲୋଡା ଯାଇଥାଏ। ନଡ଼ିଆକୁ ନେଇ କେତେ କାହାଣୀ କବିତା ମଧ୍ୟ ରଚନା କରାଯାଇଛି। ଭାରତ ମହାସାଗର ଏବଂ ପ୍ରଶାନ୍ତ ମହାସାଗର ଉପକୂଳ ଅଞ୍ଚଳରେ ଏହାର ଉତ୍ପତ୍ତି ହୋଇଥିବାର କୁହାଯାଏ। ବାହାର କଠିନ ଆବରଣ ଭିତର ଅଂଶ କୋମଳ ଥିବା ଏହି ଆଶ୍ଚର୍ଯ୍ୟ ଜନକ ଫଳଟି ମେଲାନେସିଆ ଅଞ୍ଚଳ ଅର୍ଥାତ୍‌ ଇଣ୍ଡୋସେନିଆ, ନ୍ୟୁ ଗୁଏନା, ଫିଜି ଆଦି ସ୍ଥାନରେ ପ୍ରଥମେ ଦେଖାଦେଇଥିବା ୈକତେକ କୁହନ୍ତି। ଗବେଷକଙ୍କ ଅନୁସାରେ ଦକ୍ଷିଣ ଭାରତ ନଡ଼ିଆର ମୂଳ ଉତ୍ପତ୍ତି ସ୍ଥଳ।
ଆରବ ଏବଂ ପାର୍ସୀ ନାବିକମାନେ ନଡ଼ିଆକୁ ଭାରତରୁ ପୂର୍ବ ଆଫ୍ରିକା ଉପକୂଳକୁ ନେଇ ଯାଇଥିବା କୁହାଯାଏ। ଏହାର ଉତ୍ପତ୍ତି ତଥା ଇତିହାସ ଯାହା ହେଉନା କାହିଁକି, ନଡିଆ ଗଛ ଆମକୁ ବିଭିନ୍ନ ପ୍ରକାରର ଉତ୍ପାଦ ଯୋଗାଇଥାଏ। ନଡ଼ିିଆ ଗଛର ବଟାନିକାଲ୍‌ ନାମ କୋକୋସ ନ୍ୟୁସିଫେରା। ଏହି ଗଛଗୁଡିକ ଟ୍ରପିକାଲ ଅଞ୍ଚଳରେ ଫସଲ ଭାବରେ ବହୁଳ ଭାବରେ ଦେଖାଯାଏ ଏବଂ ଚାଷ ବି କରାଯାଏ। ନଡ଼ିଆ ଯୋଗୁ ସମୃଦ୍ଧ ହୋଇଥିବା ଅଞ୍ଚଳ ମଧ୍ୟରେ ଦକ୍ଷିଣ ପୂର୍ବ ଏସିଆ, ଇଣ୍ଡୋନେସିଆ, ଭାରତ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ସାଗର ଦ୍ୱୀପପୁଞ୍ଜ, ଦକ୍ଷିଣ ଆମେରିକା, ଆଫ୍ରିକା, କାରିବିଆନ ଏବଂ ଉତ୍ତର ଆମେରିକାର ଦକ୍ଷିଣ ସୀମା ଆଦି ରହିଛି।
ଭାରତୀୟ ସଂସ୍କୃତିରେ ନଡ଼ିଆଗଛକୁ ସମସ୍ତ ଇଛା ପୂରଣ କରୁଥିବା ଈଶ୍ୱରୀୟ ବୃକ୍ଷ ଭାବେ ଗ୍ରହଣ କରାଯାଇଥାଏ। ଏହାର ବାହୁଙ୍ଗା କୁଡ଼ିଆ ଘର ନିର୍ମାଣରେ ବ୍ୟବହାର କରାଯାଉଥିବାବେଳେ ଗଣ୍ଡି ବିଭିନ୍ନ କାର୍ଯ୍ୟରେ ବ୍ୟବହୃତ ହୁଏ। ସେହିପରି କତାରୁ ନିତିଦିନିଆ ସାମଗ୍ରୀଠାରୁ ଆରମ୍ଭ କରି ବହୁ ଦରକାରୀ ଦ୍ରବ୍ୟ ପ୍ରସ୍ତୁତ କରାଯାଇଥାଏ। ଅତି ଉପଯୋଗୀ ନଡ଼ିଆ ଏବଂ ଏହାର ଗଛ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ୨୦୦୯ରେ ଏସିଆନ୍‌ ଆଣ୍ଡ୍‌ ପାସିଫିକ୍‌ କୋକନଟ୍‌ କମ୍ୟୁନିଟି(ଏପିସିସି) ଗଠିତ ହୋଇଥିଲା। ଏହି ଅଣ-ଲାଭକାରୀ ସଂସ୍ଥାର ଗଠନ ଦିନକୁ ମନେ ରଖିବା ସହିତ ନଡ଼ିଆର ଗୁରୁତ୍ୱକୁ ବଜାୟ ରଖିବା ଲାଗି ସେପ୍ଟେମ୍ବର ୨କୁ ବିଶ୍ୱ ନାରିକେଳ ଦିବସ ଭାବେ ପାଳନ ଲାଗି ଏପିସି ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

Share