Categories: ଜାତୀୟ

ଜେଡିୟୁରେ ଫାଟ, ଏବେ କ’ଣ କରିବେ ନୀତିଶ? ମୋଦିଙ୍କୁ କରିବେ ସମର୍ଥନ ନା…

ନୂଆଦିଲ୍ଲୀ,୯।୮: କେନ୍ଦ୍ର ସରକାର ଲୋକ ସଭାରେ ୱାକଫ ସଂଶୋଧନ ବିଲ ଆଣିଛନ୍ତି। ଏନଡିଏର ସହଯୋଗୀ ଦଳ ଏହାକୁ ଖୋଲାଖୋଲି ସମର୍ଥନ କରୁଥିବାବେଳେ ଇଣ୍ଡିଆ ଆଲାଇନ୍ସ ଏହାକୁ ବିରୋଧ କରୁଛନ୍ତି। ଲୋକ ସଭାରେ ୱାକଫ ବିଲ ଉପରେ ଜେଡିୟୁ ସମର୍ଥନ ଜଣାଇଛି କିନ୍ତୁ ବର୍ତ୍ତମାନ ଦଳ ମଧ୍ୟରେ ମତଭେଦ ଦେଖାଯାଇଛି। ଗୋଟିଏ ପଟେ ଲଲନ ସିଂ ବିଲ ମାଧ୍ୟମରେ କରାଯାଉଥିବା ସଂଶୋଧନକୁ ଆବଶ୍ୟକ ତଥା ଲାଭଦାୟକ ବୋଲି କହିଥିବାବେଳେ ଜେଡିୟୁ ଏମଏଲସି ଗୁଲାମ ଗୌସ ଏହାକୁ ତୀବ୍ର ବିରୋଧ କରିଛନ୍ତି।

ୱାକଫରେ ଅଣାଯାଇଥିବା ସଂଶୋଧନ ବିଲ ବିରୋଧରେ ଜେଡିୟୁ ଏମ.ଏଲ.ସି ଗୁଲାମ ଗୌସ ଏହାକୁ ଦୃଢ ବିରୋଧ କରିଛନ୍ତି। ଏହି ବିଲ ୱାକଫ ଜମି ଛଡ଼ାଇ ନେବାକୁ ଏକ ପ୍ରୟାସ। ୱାକଫ ମାଲିକାନାରେ ଥିବା ଜମିରୁ ମୁସଲମାନମାନଙ୍କ କଲ୍ୟାଣ ପାଇଁ ଅନେକ କାର୍ଯ୍ୟକ୍ରମ ଚାଲିଥାଏ। ଆଜି ବିହାରର ୱାକଫ ଜମିରେ ଅନେକ ଆବାସିକ ବିଦ୍ୟାଳୟ ନିର୍ମାଣ କରାଯାଇଛି, ଯେଉଁଠାରେ ଛାତ୍ରଛାତ୍ରମାନେ ଅଧ୍ୟୟନ କରନ୍ତି। କେନ୍ଦ୍ର ସରକାର ପ୍ରଥମେ ମୌଲାନା ଆଜାଦ ଫାଉଣ୍ଡେସନ ଛାତ୍ରବୃତ୍ତି ବନ୍ଦ କରି ତା’ପରେ ସଂଖ୍ୟାଲଘୁମାନଙ୍କ ପାଇଁ ବଜେଟ କାଟ କରିଥିଲେ। ମୁସଲମାନମାନଙ୍କ ପାଇଁ କେନ୍ଦ୍ର ସରକାର ପ୍ରଥମେ ଟ୍ରିପଲ ତାଲାକ ଇତ୍ୟାଦି ନିୟମ ତିଆରି କରିଥିଲେ। ସାରା ଦେଶରେ ୭ ଲକ୍ଷ ଏକର ୱାକଫ ଜମି ଉପରେ ଏକ ଶାଗୁଣା ନଜର ରଖିଛି ବୋଲି ପ୍ରତ୍ୟୟ ହେଉଛି।

ଜେଡିୟୁ ଏମଏଲସି ଗୌସ ଏହି ବିଲକୁ ବିରୋଧ କରିଛନ୍ତି ଏବଂ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଗୌସ କହିଛନ୍ତି ଯେ ବିହାରର ମୁସଲମାନମାନଙ୍କ ପାଇଁ ନୀତୀଶ କୁମାର ଅନେକ ବଡ଼ କାମ କରିଛନ୍ତି। ମୁଁ ଆଶା କରୁଛି ନୀତୀଶ କୁମାର ଏହି କଥା ଶୁଣିବେ।

ସୂଚନାନୁସାରେ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ପ୍ରସଙ୍ଗରେ ମୁସଲମାନ ନେତାଙ୍କ ସହ ସେମାନଙ୍କ ରାୟ ଜାଣିବା ପାଇଁ ଏକ ଆଲୋଚନା କରିପାରନ୍ତି। ମନ୍ତ୍ରୀ ଜାମା ଖାନ ଏବଂ ଜେଡିୟୁର ଅନ୍ୟ ମୁସଲମାନ ନେତାମାନେ ଏହି ବୈଠକରେ ଯୋଗଦେବେ ବୋଲି କୁହାଯାଉଛି।

Share