Categories: ଜାତୀୟ

ସ୍ତ୍ରୀ ରାନ୍ଧି ନ ଜାଣିଲେ ଦିଆ ଯାଇ ପାରିବନି ଛାଡପତ୍ର: ହାଇକୋର୍ଟ…

ଥିରୁଭାନନ୍ତପୁରମ,୧୯।୧୦ : ସ୍ତ୍ରୀ ରାନ୍ଧି ନ ଜାଣିଥିବାରୁ ଏହାକୁ କ୍ରୁରତା ଦର୍ଶାଇ ଛାଡପତ୍ର ପାଇଁ ହୋଇଥିବା ଏକ ଆବେଦନକୁ କେରଳ ହାଇକୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯଦି ସ୍ତ୍ରୀ ରାନ୍ଧିବା ବିଷୟରେ ଜାଣି ନାହାଁନ୍ତି ତେବେ ଏହା କ୍ରୁରତା ବର୍ଗରେ ଆସିବ ନାହିଁ ଏବଂ ଏହା ଅନ୍ତର୍ଗତ ଛାଡପତ୍ର ଲାଗି ଅନୁମତି ପ୍ରଦାନ କରାଯାଇ ପାରିବ ନାହିଁ।

ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କଠାରୁ ଛାଡପତ୍ର ପାଇବା ପାଇଁ କୋର୍ଟରେ ଆବେଦନ କରିଥିଲେ। ସ୍ବାମୀ ଅଭିଯୋଗ କରିଥିଲେ ତାଙ୍କ ସ୍ତ୍ରୀ କିପରି ରୋଷେଇ କରିବେ ଜାଣନ୍ତି ନାହିଁ। ଏହା ସହିତ ଆବେଦନକାରୀ ଏହା ମଧ୍ୟ କହିଥିଲେ ତାଙ୍କ ସ୍ତ୍ରୀ ତାଙ୍କ ସହ ଅସଦାଚରଣ କରୁଛନ୍ତି ଏବଂ ସମ୍ପର୍କୀୟଙ୍କ ସାମ୍ନାରେ ତାଙ୍କୁ ଅପମାନିତ କରୁଛନ୍ତି। ସ୍ତ୍ରୀ ତାଙ୍କ ଚାକିରି ପ୍ରତି ବିପଦ ସୃଷ୍ଟି କରୁଛନ୍ତି ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା।

ତେବେ ତାଙ୍କ ପ୍ରତିରକ୍ଷାରେ ସ୍ତ୍ରୀ ଏହି ସବୁ ଅଭିଯୋଗକୁ ଅସ୍ବୀକାର କରି କହିଥିଲେ ତାଙ୍କ ସ୍ବାମୀ ଯୌନ ହିଂସା କରୁଛନ୍ତି। ସେ ତାଙ୍କ ଶରୀରକୁ ପରିହାସ କରୁଛନ୍ତି। ମହିଳା ଜଣକ କହଥିଲେ ତାଙ୍କ ସ୍ବାମୀ ମାନସିକ ସମସ୍ୟାରେ ପୀଡିତ ଥିଲେ ଏବଂ ଏବେ ଔଷଧ ଖାଇବା ବନ୍ଦ କରିଦେଇଛନ୍ତି। ସ୍ତ୍ରୀ କୋର୍ଟଙ୍କୁ କହିଥିଲେ ସେ ଏହି ବିବାହକୁ ବଜାୟ ରଖିବାକୁ ଚାହୁଁଛନ୍ତି ଏବଂ ଏହି ଉଦ୍ଦେଶ୍ୟରେ ସ୍ବାମୀ ଚାକିରି କରିଥିବା କମ୍ପାନୀକୁ ଇ-ମେଲ କରିଥିଲେ।

ଏହି ପ୍ରସଙ୍ଗରେ ସ୍ବାମୀଙ୍କ କମ୍ପାନୀକୁ ପଠାଇଥିବା ଇ-ମେଲକୁ କୋର୍ଟ ପଢ଼ିଥିଲେ। ଏହା ପରେ କୋର୍ଟ ଜାଣିବାକୁ ପାଇଲେ ଯେ ସେ ତାଙ୍କ ସ୍ବାମୀଙ୍କ ଆଚରଣକୁ ନେଇସ୍ତ୍ରୀ ଚିନ୍ତିତ ଅଛନ୍ତି। ସେ କେରଳରୁ ୟୁଏଇ ଯାଇଥିଲେ ଏବଂ ତାଙ୍କ ସ୍ତ୍ରୀ ତାଙ୍କ ପରିବର୍ତ୍ତିତ ଆଚରଣରେ ବିରକ୍ତ ହୋଇ କମ୍ପାନୀର ସାହାଯ୍ୟ ଲୋଡିଥିଲେ। ଏ ସମ୍ପର୍କରେ ଜଷ୍ଟିସ ଅନିଲ କେ. ନରେନ୍ଦ୍ରନ ଏବଂ ସୋଫି ଥୋମାସଙ୍କ ଖଣ୍ଡପୀଠ କହିଛନ୍ତି ଖରାପ ରାନ୍ଧିବାକୁ କ୍ରୁରତା ବୋଲି କୁହାଯାଇପାରିବ ନାହିଁ। ତାଙ୍କ ନିଷ୍ପତ୍ତିରେ କୋର୍ଟ କହିଛନ୍ତି ଛାଡପତ୍ରର ଯଥାର୍ଥ କାରଣ ନ ଦେଇ ଗୋଟିଏ ପକ୍ଷ ଏକପାଖିଆ ନିଷ୍ପତ୍ତି ନେଇ ପାରିବେ ନାହିଁ। ଏହା ସହିତ ଖଣ୍ଡପୀଠ ଛାଡପତ୍ର ଆବେଦନକୁ ଖାରଜ କରିଛନ୍ତି।

Share