ଛାଡ଼ପତ୍ର ମାମଲା: ୧୫ରେ ବର୍ଷା-ଅନୁଭବ ବୁଝାମଣା

ନୂଆଦିଲ୍ଲୀ,୩୧।୧୦: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ଏମ୍‌ପି ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ନଭେମ୍ବର ୧୫ରେ ପରସ୍ପରକୁ ଭେଟି ଛାଡ଼ପତ୍ର ମାମଲାର ଆପୋଷ ସମାଧାନ ଲାଗି ଆଲୋଚନା କରିବେ। ସୁପ୍ରିମକୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ଏହି ବୁଝାମଣା ଅନୁଷ୍ଠିତ ହେବ। ବର୍ଷାଙ୍କ ଓକିଲଙ୍କ ସହ ଆଲୋଚନା ପରେ ୧୫ ତାରିଖରେ ବୁଝାମଣା ପାଇଁ ସ୍ଥିର ହୋଇଥିବା ଅନୁଭବଙ୍କ ଓକିଲ ଅଶ୍ୱିନୀ ଦୁବେ କହିଛନ୍ତି। ତେବେ ମଧ୍ୟସ୍ଥ କିଏ ରହିବେ ତାହା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୮ରେ ହୋଇପାରେ।
ବର୍ଷା ଓ ଅନୁଭବ ଓଡ଼ିଆ ସିନେମାର ଖ୍ୟାତନାମା ବ୍ୟକ୍ତିତ୍ୱ ହୋଇଥିବାରୁ ଆପୋଷ ଆଲୋଚନା ମାଧ୍ୟମରେ ବୈବାହିକ ବିବାଦର ସମାଧାନ ସୂତ୍ର ବାହାର କରିବା ଲାଗି ଗତ ୧୬ ତାରିଖରେ ଜଷ୍ଟିସ୍‌ ହୃଷିକେଶ ରାୟଙ୍କ ଖଣ୍ଡପୀଠ ସେମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନୁଭବ ପଟିଆଲା ହାଉସ୍‌ କୋର୍ଟରେ ଜୁଲାଇ ୭ରେ ଛାଡ଼ପତ୍ର ପିଟିଶନ ଦାଏର କରିଥିବାବେଳେ ଏହାକୁ କଟକର ଫାମିଲି କୋର୍ଟକୁ ସ୍ଥାନାନ୍ତର ଲାଗି ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
୨୦୧୪ ଫେବୃୟାରୀରେ ସେମାନଙ୍କ ବିବାହ ହୋଇଥିଲା। ତେବେ ବର୍ଷା କେବେ ତାଙ୍କୁ ସ୍ବାମୀ ଭାବେ ଦେଖୁ ନ ଥିଲେ ଏବଂ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଉଥିଲେ ବୋଲି ଅନୁଭବ ତାଙ୍କ ପିଟିଶନରେ ଅଭିଯୋଗ କରିଥିଲେ। ସେହିପରି ବର୍ଷା ଅଗଷ୍ଟ ୧୦ରେ କଟକ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ମାମଲା ଦାଏର କରିଥିଲେ। ଅନୁଭବ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ବର୍ଷା ତାଙ୍କ ପିଟିଶନରେ ଦର୍ଶାଇଥିଲେ।

Share