Advertisement

ଅନୁଭବଙ୍କୁ ବିବାହ ବିଚ୍ଛେଦ ଅନୁମତି

କଟକ,୨୧ା୧୨: ବହୁ ଚର୍ଚ୍ଚିତ ଓଲିଉଡ୍‌ ଯୋଡ଼ି ବର୍ଷା ପ୍ରିୟଦର୍ଶିନୀ-ଅନୁଭବ ମହାନ୍ତିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବ। ଏନେଇ ଅନୁଭବଙ୍କୁ ଗୁରୁବାର ହାଇକୋର୍ଟ ଅନୁମତି ଦେଇଛନ୍ତି। ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ବିବାହ ବିଚ୍ଛେଦ ଆବେଦନକୁ ପରିବାର ଅଦାଲତ ଖାରଜ କରିଦେଇଥିଲେ।

ପିଟିଶନ୍‌ରେ ଅନୁଭବ ଦର୍ଶାଇଥିଲେ ଯେ, ୨୦୧୪ରେ ଉଭୟଙ୍କ ବିବାହ ହୋଇଥିଲେ ମଧ୍ୟ ବିଭିନ୍ନ ସମୟରେ ବର୍ଷା ଶାରୀରିକ ସମ୍ପର୍କ ରଖିବାକୁ ଅନିଚ୍ଛା ପ୍ରକାଶ କରୁଥିଲେ। ବର୍ଷା ଅନୁଭବଙ୍କୁ ତାଙ୍କ ବୈବାହିକ ଜୀବନରେ କେବେ ବି ଖୁସି ଦେଇନାହାନ୍ତି। ଓଲଟା ସେ ସର୍ବଦା ଅନୁଭବଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରୁଥିଲେ। ପାରିବାରିକ ଜୀବନରେ ବର୍ଷା କେବେହେଲେ ତାଙ୍କୁ ସହଯୋଗ କରୁ ନ ଥିଲେ। ଦୁହିଁଙ୍କ ଭିତରେ ମତ ପାର୍ଥକ୍ୟ ଥିବା କାରଣରୁ ଉଭୟ ଦୀର୍ଘଦିନ ହେବ ଅଲଗା ରହୁଛନ୍ତି। ସେହିପରି ଅନୁଭବ ତଥା ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ବର୍ଷା ଧମକ ଦେବା ସହ ମାନସିକ ନିର୍ଯାତନା ଦେଉଥିଲେ ବୋଲି ଅନୁଭବ ଆବେଦନରେ ଦର୍ଶାଇଥିଲେ। ଦୀର୍ଘଦିନର ତିକ୍ତତା ପରେ ସେ ବର୍ଷାଙ୍କ ସହ ସମ୍ପର୍କ ତୁଟାଇବାକୁ ସିଦ୍ଧାନ୍ତ ନେଇଛନ୍ତି। ତେଣୁ ସେ ଛାଡ଼ପତ୍ର ନିମନ୍ତେ ଅଦାଲତରେ ଆବେଦନ କରିଥିବା କୋର୍ଟଙ୍କୁ ଜଣାଇଥିଲେ। ବର୍ଷା ମଧ୍ୟ ଅନୁରୂପ ଭାବେ ଅନୁଭବଙ୍କ ବିରୋଧରେ କଟକ ଏସ୍‌ଡିଜେଏମ୍‌ ଅଦାଲତରେ ଏକ ମାମଲା ରୁଜୁ କରିଥିଲେ। ଏଥିରେ ସେ ପାରିବାରିକ ହିଂସାର ଶିକାର ହେଉଛନ୍ତି ବୋଲି ଦର୍ଶାଇଥିଲେ।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share