ବର୍ଷାଙ୍କ ପରେ ଏବେ ଅନୁଭବ: ଦିଲ୍ଲୀ ପଟିଆଲା କୋର୍ଟରେ ଛାଡ଼ପତ୍ର ପିଟିଶନ୍‌ ଦାଖଲ; ଆଣିଲେ ଏଭଳି ସଙ୍ଗିନ ଅଭିଯୋଗ

ଭୁବନେଶ୍ୱର,୬।୯(ବ୍ୟୁରୋ): ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ପରେ ଏବେ ସ୍ବାମୀ ଏମ୍‌ପି ଅନୁଭବ ମହାନ୍ତି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ଅନୁଭବ ଛାଡପତ୍ର ପିଟିଶନ୍‌ ଦାଖଲ କରିଥିବା ଜଣାପଡ଼ିଛି। ୪୭ ପୃଷ୍ଠାର ଉକ୍ତ ପିଟିଶନ୍‌ରେ ବହୁ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି ଅନୁଭବ। ଶାରୀରିକ ସମ୍ପର୍କ ପାଇଁ ବର୍ଷା ରାଜି ହେଉ ନ ଥିଲେ। ଫଳରେ ସେ ଅସହଜ ଏବଂ ଅସୁଖୀ ମନେ କରୁଥିଲି। ବାହାଘରର ପ୍ରଥମ ଦିନ ସମ୍ପର୍କ ରଖିବାକୁ ବର୍ଷା ଅରାଜି ଥିଲେ। ଏଥିପାଇଁ ସେ ୩ ରୁ ୪ ମାସ ସମୟ ମାଗିଥିଲେ। ତାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସମୟ ଦେଇଥିଲି। ରାଜ୍ୟ ସଭା ଏମ୍‌ପି ହେବା ପରେ ଦିଲ୍ଲୀରେ ବର୍ଷାଙ୍କ ସହ ରହିଥିଲି। ଦିଲ୍ଲୀରେ ମଧ୍ୟ ଶାରୀରିକ ସମ୍ପର୍କ ରଖିବାକୁ ଯାଇ ନିରାଶ ହୋଇଥିଲି। ଦିଲ୍ଲୀ ରହଣୀ ପରେ ଉଭୟ କଟକ ଫେରିଥିଲୁ। କଟକକୁ ଫେରିବା ପରେ ବର୍ଷା ଖୁସି ଥିଲେ। କଟକ ଫେରିଲେ ଆମର ସମ୍ପର୍କ ରହିବ ବୋଲି ବର୍ଷା କହିଥିଲେ। ହେଲେ ସେ ପୁଣି ୭ରୁ ୮ ମାସ ସମୟ ମାଗିଥିଲେ। ବର୍ଷା କେବେ ବି ବୈବାହିକ ଖୁସି ଦେଇ ନ ଥିବା ଅନୁଭବଙ୍କ ପିଟିସନ୍‌ରେ ଉଲ୍ଲେଖ ରହିଛି।

ଏହାଛଡ଼ା ଶାଶୁଘରେ ନ ରହି ବର୍ଷା ଅଧିକାଂଶ ସମୟ ବାପଘରେ ରହୁଥିଲେ। ଏହାକୁ ନେଇ ଅଧିକାଂଶ ସମୟ ଝଗଡ଼ା କରୁଥିଲେ। ବର୍ଷା ଶାଶୁଘର ଖାଦ୍ୟ ପସନ୍ଦ କରୁ ନ ଥିଲେ। ଏପରିକି ପରିବାରଲୋକଙ୍କ ସହ ମିଶୁ ନ ଥିଲେ। ବାପଘର ଯିବାକୁ ବାହାନା କରୁଥିଲେ। ସହ ଅଭିନେତ୍ରୀଙ୍କ ସହ ସମ୍ପର୍କ ଥିବା ମିଥ୍ୟା ଅଭିଯୋଗ କରୁଥିଲେ। ମିଥ୍ୟା କେସ୍‌ରେ ତାଙ୍କୁ ଓ ତାଙ୍କ ପରିବାରକୁ ଫସାଇବାକୁ ଧମକ ଦେଉଥିଲେ। ବାପଘର ଲୋକଙ୍କ ଆଗରେ ବର୍ଷା ଅପମାନିତ କରୁଥିଲେ। ଭଲ ସ୍ତ୍ରୀ ଏବଂ ଭଲ ବୋହୂ ହେବାରେ ସେ ବିଫଳ ହୋଇଛନ୍ତି। ୨୦୧୯ ମେ’ ୧ରୁ ଉଭୟ ଅଲଗା ରହିଆସୁଥିବା ବେଳେ ଏବେ ବର୍ଷାଙ୍କ ସହ ରହିବାକୁ ଅନିଚ୍ଛା ପ୍ରକାଶ କରିଥିବା ଅନୁଭବ ପିଟିଶନ୍‌ରେ ଦର୍ଶାଇଛନ୍ତି।

ପ୍ରକାଶ ଯେ, କଟକ ସଦର ଏସ୍‌ଡିଜେଏମ୍‌ କୋର୍ଟରେ ଘରୋଇ ହିଂସାରୁ ମହିଳାଙ୍କୁ ସୁରକ୍ଷା ଆଇନ-୨୦୦୫ ଅନୁଯାୟୀ ଅନୁଭବଙ୍କ ନାମରେ ମାମଲା ରୁଜୁ ହୋଇଛି। ବର୍ଷା ଭରଣପୋଷଣ ବାବଦକୁ ୧୫ କୋଟି ଟଙ୍କା ଦାବି କରିଛନ୍ତି।

Share