Categories: ଜାତୀୟ

ଟ୍ରାଫିକ୍‌ ଜାମ୍‌ ଯୋଗୁ ବଢୁଛି ଛାଡ଼ପତ୍ର ସମସ୍ୟା…

ମୁମ୍ବାଇ, ୫।୨ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ଦେବେନ୍ଦ୍ର ଫଡନଭୀସଙ୍କ ସ୍ତ୍ରୀ ଅମୃତା ଫଡନଭୀସ ଶାସକ ଦଳ ମହାରାଷ୍ଟ୍ର ବିକାଶ ଆଘାଡି ସରକାରଙ୍କୁ ଟାର୍ଗେଟ କରି ଏକ ଅଜବ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ମୁମ୍ବାଇରେ ଛାଡପତ୍ରର ୩ ପ୍ରତିଶତ ସଂଖ୍ୟା ଟ୍ରାଫିକ ଜାମ୍‌ କାରଣରୁ ହେଉଛି।

ସେ କହିଛନ୍ତି ଯେ ମୁଁ ଜଣେ ସାଧାରଣ ନାଗରିକ ଭାବରେ ଏହା କହୁଛି। ଯେତେବେଳେ ମୁଁ ବାହାରକୁ ଯାଏ, ମୁଁ ଖାଲ, ଟ୍ରାଫିକ ସହିତ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାଏ। ଟ୍ରାଫିକ ଜାମ୍‌ କାରଣରୁ ଲୋକମାନେ ନିଜ ପରିବାରକୁ ସମୟ ଦେବାରେ ସକ୍ଷମ ନୁହଁନ୍ତି। ଫଳରେ ଏହାଯୋଗୁ ମୁମ୍ବାଇରେ ଛାଡପତ୍ର ସଂଖ୍ୟା ଅଧିକ ଘଟୁଛି। ଏହି ସମସ୍ୟା ଉପରେ ଅଧିକ ଧ୍ୟାନ ଦେବାକୁ ସେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତିି।

ମୁମ୍ବାଇରେ ଏକ ଘଟଣା ପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରୁଥିବାବେଳେ ଅମୃତା ଅଭିଯୋଗ କରିଛନ୍ତି ଯେ ଏମଭିଏ ଏକଚାଟିଆ ଭାବେ କାର୍ଯ୍ୟ କରୁଛି ଏବଂ ସରକାର କେବଳ ଅସୁଲି ସରକାର ପାଲଟିଛନ୍ତି।

ଏହା ଉପରେ ମୁମ୍ବାଇ ମେୟର କିଶୋରୀ ପେଡନେକର ଅମୃତାଙ୍କ ଦାବିକୁ ନିନ୍ଦା କରିଛନ୍ତି। ମେୟର ପେଡନେକର କହିଛନ୍ତି ଯେ ଅମୃତା ଆମର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ। ଟ୍ରାଫିକ କାରଣରୁ ଛାଡପତ୍ର ଘଟୁଥିବା ତାଙ୍କ ଅଭିଯୋଗ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଛାଡପତ୍ର ପାଇଁ ଅନେକ କାରଣ ଥାଇପାରେ, କିନ୍ତୁ ମୁଁ ଏହା ପ୍ରଥମ ଥର ଶୁଣୁୂଛି ବୋଲି ସେ କହିଛନ୍ତି।

Share