Categories: ଫୁରସତ

ମହିଳାଙ୍କୁ ନ୍ୟାୟ ଦେଉଛି ଛାଡ଼ପତ୍ର ମନ୍ଦିର

ଟୋକିଓ: ଜାପାନର କାମାକୁରା ସହରସ୍ଥିତ ମତ୍ସୁଗାଓକା ଟୋକେଇଜି ମନ୍ଦିରକୁ ଛାଡ଼ପତ୍ର ମନ୍ଦିର ବୋଲି ମଧ୍ୟ କୁହାଯାଏ। ବୈବାହିକ ଜୀବନରେ ବିଭିନ୍ନ ଅସୁବିଧା ଏବଂ ନିର୍ଯାତନାର ସମ୍ମୁଖୀନ ହେବା ପରେ ମହିଳାମାନେ ଏଠାରେ ଆଶ୍ରୟ ନେଇଥାନ୍ତି। ଫଳରେ ମହିଳାମାନେ ସେମାନଙ୍କ ସ୍ବାମୀ ଓ ଦାମ୍ପତ୍ୟ ଜୀବନଠାରୁ ସ୍ବାଧୀନତା ପାଇପାରନ୍ତି।

କୁହାଯାଏ, ଏହି ମନ୍ଦିରର ଇତିହାସ ୭ ଶହ ବର୍ଷ ପୁରୁଣା। ସେତେବେଳେ ଜାପାନରେ କେବଳ ପୁରୁଷମାନେ ସେମାନଙ୍କ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇପାରୁଥିଲେ। ଏପରି ସ୍ଥିତିରେ କେବଳ ଏହି ମନ୍ଦିର ହିଁ ସ୍ବାମୀଙ୍କ ଦ୍ୱାରା ନିର୍ଯାତିତ ହେଉଥିବା ମହିଳାଙ୍କର ଆଶ୍ରୟସ୍ଥଳୀ ପାଲଟିଥିଲା। ଘରୋଇ ହିଂସାର ଶିକାର ହୋଇଥିବା ପ୍ରତିଟି ମହିଳାଙ୍କ ପାଇଁ ଏହି ମନ୍ଦିରର ଦ୍ୱାର ସର୍ବଦା ଖୋଲା ରହିଥାଏ। କିମ୍ବଦନ୍ତୀ ଅନୁଯାୟୀ, ପ୍ରାୟ ୭୦୦ ବର୍ଷ ତଳେ କାକାସୁନି ନାମ୍ନୀ ଜଣେ ମହିଳା ନିଜ ସ୍ବାମୀ ହୋଜୋ ଟୋକିମୁନ୍‌ଙ୍କ ଦ୍ୱାରା ନିର୍ଯାତିତ ହେଉଥିଲେ।

ତେବେ ସେତେବେଳର ସାମାଜିକ ନିୟମ ଅନୁଯାୟୀ, କାକାସୁନ୍‌ ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇପାରୁ ନ ଥିଲେ। ତେଣୁ ସେ ଏହି ମନ୍ଦିରରେ ରହିବାକୁ ଲାଗିଲେ। ଏହାପରଠାରୁ ସ୍ବାମୀଙ୍କଠାରୁ ନିର୍ଯାତିତ ହୋଇଥିବା ଅନେକ ମହିଳା ଏହି ମନ୍ଦିରରେ ଆଶ୍ରୟ ନେଇଥିଲେ। ୩ ବର୍ଷ ଧରି ମନ୍ଦିରରେ ରହିବା ପରେ ସେମାନଙ୍କୁ ଛାଡ଼ପତ୍ର ମିଳିପାରୁଥିଲା। ତେବେ ପରେ ଏହି ସମୟସୀମାକୁ ହ୍ରାସ କରାଯାଇ ୨ ବର୍ଷ କରାଯାଇଥିଲା।

Share