ବିଗ୍‌ ବସ୍‌ ଓଟିଟି ଜିତିଲେ ଦିବ୍ୟା ଅଗ୍ରଓ୍ବାଲ

ମୁମ୍ବାଇ, ୧୯ା୯: ଟେଲିଭିଜନ ଅଭିନେତ୍ରୀ ଦିବ୍ୟା ଅଗ୍ରଓ୍ବାଲ ରିୟଲିଟି ଶୋ’ ବିଗ୍‌ ବସ୍‌ ଓଟିଟି ବିଜୟୀ ହୋଇଛନ୍ତି। ବଲିଉଡ୍‌ ଫିଲ୍ମ ନିର୍ମାତା କରଣ ଜୋହର ହୋଷ୍ଟ କରିଥିବା ଏହି ଶୋ’ର ଗ୍ରାଣ୍ଡ ଫିନାଲେ ଶନିବାର ସନ୍ଧ୍ୟା ୭ଟାରେ ଅନ୍‌ଲାଇନ ପ୍ଲାଟଫର୍ମ ‘ଭୁଟ୍‌’ରେ ପ୍ରସାରିତ ହୋଇଥିଲା। ବିଗ୍‌ ବସ୍‌ ଟ୍ରଫି ସହ ପୁରସ୍କାର ରାଶି ବାବଦକୁ ଦିବ୍ୟା ୨୫ ଲକ୍ଷ ଟଙ୍କା ପାଇଛନ୍ତି। ଦିବ୍ୟାଙ୍କ ସହ ଏହି ରିୟଲିଟି ଶୋ’ ଫାଇନାଲରେ ରାକେଶ ବାପତ୍‌, ପ୍ରତୀକ ସେହଜପାଲ, ସମିତା ସେଟ୍ଟୀ ଏବଂ ନିଶାନ୍ତ ଭଟ୍ଟ ଥିଲେ। ସେମାନଙ୍କ ମଧ୍ୟରୁ ନିଶାନ୍ତ ପ୍ରଥମ ରନର୍ସ ଅପ୍‌ ଏବଂ ସମିତା ଦ୍ୱିତୀୟ ରନର୍ସ ଅପ୍‌ ହୋଇଛନ୍ତି। ଏବେ ଏହି ୩ ଜଣ ବିଗ୍‌ ବସ୍‌-୧୫ ପ୍ରତିଯୋଗିତାରେ ଭାଗ ନେବେ।
ବିଗ୍‌ ବସ୍‌ରେ ଦିବ୍ୟା ଅନ୍ୟମାନଙ୍କ ତୁଳନାରେ ଜଣେ ଦୃଢ଼ ପ୍ରତିଯୋଗୀ ଥିଲେ। ନିଶାନ୍ତ ଏବଂ ରାକେଶଙ୍କ ସହ ତାଙ୍କ ଭଲ ବଣ୍ଡିଂ ରହିଥିଲା। ଅଡିଏନ୍ସ ଭୋଟରେ ସେ ସିଧାସଳଖ ଭାବେ ଫାଇନାଲ ରାଉଣ୍ଡରେ ପ୍ରବେଶ କରିଥିଲେ। ଏହା ପୂର୍ବରୁ ଦିବ୍ୟା ଏମ୍‌ଟିଭି ସ୍ପ୍ଲିଟ୍‌ଭିଲା ରନର୍ସ ଅପ୍‌ ଏବଂ ଏମ୍‌ଟିଭି ଏସ୍‌ ଅଫ୍‌ ସ୍ପେସ ପ୍ରଥମ ସିଜନର ବିଜେତା ହୋଇଥିଲେ। ସୂଚନାଯୋଗ୍ୟ, ୧୪ ସିଜନ ପରେ ପ୍ରଥମ ଥର ପାଇଁ ବିଗ୍‌ ବସ୍‌ ଓଟିଟି ପ୍ଲାଟଫର୍ମରେ ପ୍ରସାରିତ ହୋଇଥିଲା।

Share