ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ଦିବ୍ୟାଂଶୀ

ବାଲେଶ୍ୱର ଅଫିସ, ୧୮।୧୨: ବାଲେଶ୍ୱର ସହର ଫକୀରମୋହନ ନଗରରେ ବସବାସ କରୁଥିବା ଇଂ. ସନ୍ତୋଷ କୁମାର ଆଚାର୍ଯ୍ୟ ଓ ପ୍ରିୟମ୍ବଦା ମହାପାତ୍ରଙ୍କ କନ୍ୟା ଦିବ୍ୟାଂଶୀ ୨ବର୍ଷ ୫ମାସର ହୋଇଥିବା ବେଳେ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ପାଇଛନ୍ତି। ସେ ଶରୀରର ୧୪ଟି ଅଙ୍ଗର ନାମ ସହିତ ଏ ଟୁ ଜେଡ୍‌ର ଅନୁରୂପ ଶବ୍ଦ, ଜାତୀୟ ସଙ୍ଗୀତ, ୨ଟି ହିନ୍ଦୀ, ଗୋଟିଏ ଇଂଲିଶ ରାଇମ୍‌ସ, ଦୁଇଟି ସଂସ୍କୃତ ମନ୍ତ୍ର (ବକ୍ରତୁଣ୍ଡ ଓ ତ୍ରୟୋମ୍ବକମ୍‌) ଓ ୧୦ଟି ପ୍ରାଣୀଙ୍କ ଶବ୍ଦ କରିପାରୁଛନ୍ତି। ତାଙ୍କର ଏସବୁର ଏକ ଭିଡିଓ ଗତ ନଭେମ୍ବର ୪ ତାରିଖରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସ ସାଇଟ୍‌ରେ ଅପଲୋଡ୍‌ କରାଯାଇଥିଲା। ନଭେମ୍ବର ୭ ତାରିଖରେ ଏହି ରେକର୍ଡ ହାସଲ କରିଥିବା ବେଳେ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସର ଚିଫ୍‌ ଏଡିଟର ଡ. ବିଶ୍ୱରୂପ ରୟ ଚୌଧୁରୀ ଗତ ନଭେମ୍ବର ୧୮ ତାରିଖରେ ଦିବ୍ୟାଂଶୀଙ୍କ ନିକଟକୁ ମେଡାଲ ଓ ମାନପତ୍ର ପଠାଇଥିବା ଜଣାପଡ଼ିଛି।

ଦିବ୍ୟାଂଶୀ ମାତ୍ର ୮ମାସର ହୋଇଥିବା ବେଳେ ତାଙ୍କର ହାବଭାବରୁ ମା’ବାପା ୟୁ-ଟ୍ୟୁବ୍‌ରୁ ଭିଜୁଆଲାଇଜେଶନ୍‌ ମେଥଡ୍‌ ଡାଉନଲୋଡ୍‌ କରି ଝିଅକୁ ଦେଖାଉଥିଲେ। ଦିବ୍ୟାଂଶୀ ଏସବୁ ଜିନିଷକୁ ଦେଖି ମନେରଖିବା ସହ କହିବା ଆରମ୍ଭ କରିଥିଲେ। ୨ବର୍ଷ ୫ମାସର ହୋଇଥିବା ବେଳେ ଏସବୁର ଭଡିଓ ପ୍ରସ୍ତୁତ କରି ପ୍ରଥମଥର ପାଇଁ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସ ସାଇଟ୍‌ରେ ଅପଲୋଡ୍‌ କରିଥିଲେ। ଆଗକୁ ଏସିଆ ବୁକ୍‌ ଅଫ୍‌ ରେକଡର୍‌ସ ପାଇଁ ଦିବ୍ୟାଂଶୀଙ୍କୁ ପ୍ରସ୍ତୁତ କରାଯାଉଛି। ଏବେ ଦିବ୍ୟାଂଶୀଙ୍କୁ ୨ବର୍ଷ ୬ମାସ। କିଛିଦିନ ମଧ୍ୟରେ ୩୦ଟି ଜିଲାର ନାମ, ୧୨ ମାସ, ୬ ଋ଼ତୁ, ସପ୍ତାହର ନାମ ସହ ଜାତୀୟସ୍ତରୀୟ ୧୨ଜଣ ମହାପୁରୁଷଙ୍କୁ ଚିହ୍ନଟ କରିବାରେ ସାମର୍ଥ୍ୟ ହାସଲ କରିଥିବା ତାଙ୍କ ବାପା ଇଂ. ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।