ନୂଆଦିଲ୍ଲୀ: ମୋଗଲ ଶାସନ କାଳରେ ଦିଓ୍ବାଲି ବା ଦୀପାବଳି ପର୍ବ ଜଶ୍ନ-ଇ-ଚିରାଗନ ଭାବରେ ପରିଚିତ ଥିଲା ଓ ଏହା ଖୁବ୍ ଉତ୍ସାହ ଉଦ୍ଦୀପନାର ସହ ପାଳନ କରାଯାଉଥିଲା। ଦୀପାବଳିରେ ଲାଲ୍କିଲ୍ଲାର ରଙ୍ଗ ମହଲ ଦୀପମାଳାରେ ସଜ୍ଜିତ ହେଉଥିଲା। ସମ୍ରାଟ ମହମ୍ମଦ ଶାହା ରାଜପ୍ରାସାଦ ବାହାରେ ମହିଳାମାନଙ୍କ ସହ ଦିଓ୍ବାଲି ପାଳନ କରୁଥିବା ଏକ ପେଣ୍ଟିଂରୁ ଦେଖିବାକୁ ମିଳିଛି। ଦିଓ୍ବାଲିରେ ମୋଗଲ ସମ୍ରାଟଙ୍କୁ ସୁନା ଓ ରୁପାରେ ଓଜନ କରାଯାଉଥିଲା। ଉକ୍ତ ସୁନା ରୁପାକୁ ଗରିବଙ୍କ ମଧ୍ୟରେ ବାଣ୍ଟିଦିଆଯାଉଥିଲା। କେତେଜଣ ମୋଗଲ ମହିଳା କୁତବ୍ମିନାର ଉପରେ ଚଢ଼ି ଆଲୋକ ସଜ୍ଜା ଓ ବାଣ ରୋଶଣି ଦେଖୁଥିଲେ। ଏଥିସହିତ ସ୍ବତନ୍ତ୍ର ଆକାଶ ଦୀପ ୪୦ ଗଜ ଉଚ୍ଚତା ବିଶିଷ୍ଟ ଏକ ସ୍ତମ୍ଭ ଉପରେ ଜଳାଯାଉଥିଲା। ଉକ୍ତ ସ୍ତମ୍ଭକୁ ୧୬ଟି ଦଉଡ଼ିରେ ଚାରିପଟୁ ବାନ୍ଧି ରଖାଯାଉଥିବାବେଳେ ବହୁ ପରିମାଣର କପାମଞ୍ଜି ତେଲରେ ଏହା ଜଳୁଥିଲା ଓ ଦରବାରକୁ ଆଲୋକିତ କରୁଥିଲା।
ଉର୍ଦ୍ଦୁ ଏକାଡେମୀ ଦ୍ୱାରା ୧୯୮୭ରେ ପ୍ରକାଶିତ ମହେଶ୍ୱର ଦୟାଲଙ୍କ ପୁସ୍ତକ ‘ଆଲମ ମେ ଇନ୍ତେଖାବ୍: ଦିଲ୍ଲି’ରେ ମୋଗଲ ସମୟରେ ଦିଲ୍ଲୀର ଇତିହାସ, ପରମ୍ପରା ଓ ସଂସ୍କୃତି ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଏଥିରେ ଦଶହରା, ରାମଲୀଳା, ଦୀପାବଳି ସମ୍ପର୍କରେ ଉଲ୍ଲେଖ ରହିଛି। ସମ୍ରାଟ ଶାହାଜାହାନ ରାଜଧାନୀକୁ ଆଗ୍ରାରୁ ଦିଲ୍ଲୀ ସ୍ଥାନାନ୍ତର କରିବା ପରେ ସେଠାରେ ପ୍ରାଚୀର ଘେରା ସହର ଶାହାଜାହାନବାଦ ପ୍ରତିଷ୍ଠା କରିଥିଲେ। ତାଙ୍କ ସୈନ୍ୟ ଓ ଜନସାଧାରଣ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ହିନ୍ଦୁ ପର୍ବ ପାଳନ କରିବା ଲାଗି ଶାହାଜାହାନ ପୃଷ୍ଠପୋଷକତା ଯୋଗାଇଦେଉଥିଲେ। ଲାଲ୍କିଲ୍ଲା ପଛପାର୍ଶ୍ୱ ଯମୁନା ନଦୀ କୂଳରେ ହିନ୍ଦୁ ସୈନ୍ୟମାନେ ଦଶହରା ପାଳନ କରୁଥିଲେ। ରମଲୀଳା ଦଶହରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା। ଦିଲ୍ଲୀରେ ପ୍ରଥମ ରାମଲୀଳା କମିଟି ସମ୍ରାଟ ବାହାଦୁର ଶାହା ଜାଫରଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା, ଯାହା ଆଜିପର୍ଯ୍ୟନ୍ତ ରହିଛି। ଅଷ୍ଟାଦଶ ଶତାବ୍ଦୀରେ ହିନ୍ଦୁ ମୁସଲମାନମାନେ ଏକାଠି ଦଶହରା ଓ ରାମଲୀଳା ଖୁବ୍ ଉତ୍ସାହ ଉଦ୍ଦୀପନାର ସହ ପାଳନ କରୁଥିଲେ ବୋଲି ମିର୍ଜା କାତିଲଙ୍କ ପାର୍ସି ପୁସ୍ତକ ‘ହାଫ୍ତ ତମାଶା’ରେ ଉଲ୍ଲେଖ ରହିଛି। ଦିଲ୍ଲୀର ବଜାର ଓ ଛକ ସ୍ଥାନରେ କାର୍ଡବୋର୍ଡ ଏବଂ କାଗଜରେ ରାବଣର ବିରାଟ ମୂର୍ତ୍ତି ନିର୍ମାଣ ହେଉଥିଲା ଓ ଏହାର ପେଟରେ ସରବତର ଏକ ମାଟିପାତ୍ର ରଖାଯାଉଥିଲା। ଭଗବାନ ରାମ ବେଶଧାରୀ ପିଲାମାନେ ଉକ୍ତ ମାଟିପାତ୍ରକୁ ତୀର ମାରି ଭାଙ୍ଗୁଥିଲେ। ଉକ୍ତ ମାଟିପାତ୍ରର ସରବତକୁ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ବଣ୍ଟାଯାଉଥିଲା।