ଦୀପାବଳି: ଡିମାଣ୍ଡରେ ଫ୍ୟାନି୍ସ ଦୀପ

କଟକ,୧୨ା୧୧(ଶିଳ୍ପା ପ୍ରିୟଦର୍ଶିନୀ)ରବିବାର ଆଲୋକର ପର୍ବ ଦୀପାବଳି। ଏନେଇ ଚଳଚଞ୍ଚଳ ହୋଇଛି କଟକ ସହର। ଦୀପାବଳିରେ ଘର ସଜାଇବା ପାଇଁ ସହରବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏଥିପାଇଁ ସହରର ଅନେକ ସ୍ଥାନରେ ଭଳିକି ଭଳି ମୁରୁଜ (ରଙ୍ଗୋଲି) ଓ ଦୀପ ବିକ୍ରି ହେଉଛି। ବିଶେଷକରି ଚୌଧୁରୀ ବଜାର, ଦୋଳମୁଣ୍ଡାଇ, ନୟାସଡ଼କ, କଲେଜଛକ ଅଞ୍ଚଳରେ ଥିବା ଦେକାନରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଛି। ସହରରେ ମୁରୁଜ ବ୍ୟବସାୟ କରିବା ପାଇଁ କାନପୁରରୁ ବ୍ୟବସାୟୀ ଆସିଛନ୍ତି। ବିଭିନ୍ନ ରଙ୍ଗର ମୁରୁଜ ରହିଛି। ଯାହାର ଦର ୧୦୦ ଗ୍ରାମକୁ ୧୦ଟଙ୍କା ରହିଛି। ମୁରୁଜ ପକାଇବା ପାଇଁ ବିଭିନ୍ନ ଆକୃତିର ଛାଞ୍ଚ ରହିଛି। ଏହାର ଦର ୨୫ରୁ ଆରମ୍ଭ କରି ୫୦ ଟଙ୍କା ରହିଛି। ଅପରପକ୍ଷରେ କୋଲକାତାର ଫ୍ୟାନ୍ସି ଦୀପ ଗ୍ରାହକଙ୍କ ପସନ୍ଦ ପାଲଟିଛି। ଡିଜାଇନ ଦୀପର ଦର ୩୦ରୁ ୧୨୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଦୀପାବଳି ପୂଜା ସାମଗ୍ରୀ ମଧ୍ୟରେ ମାଠିଆ ଦର ୫୦ରୁ ୧୨୦ ଟଙ୍କା ରହିଛି। କାନପୁର ଅଞ୍ଚଳରୁ ବ୍ୟବସାୟୀ ମୁରୁଜ ଆଣିଥିବାବେଳେ ଦୀପ, ମାଠିଆ କୋଲକାତାରୁ ଆସିଛି।
ଏ ନେଇ ମୁରୁଜ ବ୍ୟବସାୟୀ ମୁସ୍‌ତାଫା ଅଲ୍ଲି କହିଛନ୍ତି, ୩ ବର୍ଷ ହେବ କଟକ ଆସି ଦୀପାବଳି ସମୟରେ ବ୍ୟବସାୟ କରୁଛି। ଶନିବାର ବେପାର ହୋଇଥିଲା। ରବିବାର ମଧ୍ୟ ଭଲ ବେପାର ହେବ ବୋଲି ଆଶା ରହିଛି। ସେହିପରି ବ୍ୟବସାୟୀ ମୌସୀ କହିଛନ୍ତି, କଟକରେ ମୁରୁଜ ବ୍ୟବସାୟ ଦୀପାବଳି ସମୟରେ ଭଲ ହୋଇଥାଏ ବୋଲି ଶୁଣି ଚଳିତବର୍ଷ କଟକ ଆସିଛି। ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଛି। ଦୀପ ବ୍ୟବସାୟୀ ଚନ୍ଦନ ଜୀ କହିଛନ୍ତି, ୩୦ ବର୍ଷ ହେବ କଟକରେ ଦୀପ ବ୍ୟବସାୟ କରିଆସୁଛି। ଚଳିତବର୍ଷ କୋଲକାତାର ଫ୍ୟାନ୍ସି ଦୀପ ପ୍ରତି ଗ୍ରାହକଙ୍କ ଅଧିକ ଚାହିଦା ରହିଛି। ସେହି ଅନୁଯାୟୀ ସାମଗ୍ରୀ ଆଣିଛି ବୋଲି ସେ କହିଥିଲେ।

Share