ଦୀପାବଳି ପାଇଁ ଶ୍ରୀକ୍ଷେତ୍ର ଉତ୍ସବମୁଖର

ପୁରୀ, ୧୨।୧୧(ଅଜିତ୍‌ ମହନ୍ତି):ଆଲୋକର ପର୍ବ ଦୀପାବଳିକୁ ସ୍ବାଗତ କରିବା ପାଇଁ ଶ୍ରୀକ୍ଷେତ୍ର ଏବେ ଉତ୍ସବମୁଖର ହୋଇଉଠିଥିବାବେଳେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଦୀପାବଳି ପାଇଁ ମାଟିଦୀପ ସହ ମହମବତିର ଚାହିଦା ବେଶ୍‌ ପରିଲକ୍ଷିତ ହେଉଛି। ସେହିପରି ଦୀପାବଳିରେ ପ୍ରୟାଶ୍ରାଦ୍ଧ ଦେବାର ପରମ୍ପରା ରହିଛି। ତେଣୁ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ କାଉଁରିଆ କାଠି ବିକ୍ରି ହେଉଥିବା ବେଳେ ଲୋକମାନେ ତାକୁ କିଣି ବଡ଼ବଡ଼ୁଆ ଡାକିବା ପାଇଁ ଘରକୁ ନେଉଥିବା ଦେଖିବାକୁ ମିଳିଛି। କୁମ୍ଭକାରମାନଙ୍କଠାରୁ ଆରମ୍ଭକରି ବାଣ ବ୍ୟବସାୟୀମାନେ ଦୀପାବଳିରେ ଭଲ ବେପାର ଆଶାରେ ରହିଛନ୍ତି। ପୁରୀ କୁମ୍ଭାରପଡ଼ା, ଟିକରପଡ଼ା ଆଦି ସ୍ଥାନରେ ବସବାସ କରୁଥିବା କୁମ୍ଭକାରମାନେ ବିଭିନ୍ନ ପ୍ରକାର ଦୀପ ନିର୍ମାଣ କରିଛନ୍ତି। ପଇସିକା ଦୀପଠାରୁ ଆରମ୍ଭ କରି ଅମାବାସ୍ୟା ଦୀପ, ପଞ୍ଚଦୀପ, ସାତଦୀପ ଆଦି ବିଭିନ୍ନ ପ୍ରକାରର ଦୀପର ପସରା ମେଲିଛି। ଦୀପଗୁଡ଼ିକର ମୂଲ୍ୟ ୧ଟଙ୍କାରୁ ଆରମ୍ଭହୋଇ ୧୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଗ୍ରାହକମାନଙ୍କ ଚାହିଦାକୁ ଦେଖି ଦୀପ ପ୍ରସ୍ତୁତ କରାଯାଇଥିବା କୁମ୍ଭକାରମାନେ ମତ ଦେଇଛନ୍ତି। ସେହିପରି ପୁରୀ ତାଳବଣିଆ ପଡ଼ିଆରେ ପ୍ରଶାସନ ପକ୍ଷରୁ ବାଣ ବ୍ୟବସାୟୀଙ୍କୁ ଷ୍ଟଲ୍‌ କରିବା ପାଇଁ ଅନୁମତି ମିିଳିଛି। ଲାଇସେନ୍ସପ୍ରାପ୍ତ ବ୍ୟବସାୟୀମାନେ ଦୋକାନ କରିଛନ୍ତି। ବଜାରରେ ଅନେକ ପ୍ରକାରର ବାଣ ଉପଲବ୍ଧ ହେଉଛି। ତେବେ ଚଳିତବର୍ଷ ବାଣର ଦର ପୂର୍ବବର୍ଷ ଅପେକ୍ଷା ଟିକେ ଅଧିକ ରହିଛି। ତେବେ ପ୍ରଦୂଷଣ ସୃଷ୍ଟି କରୁଥିବା ବାଣ ଉପରେ ସୁପ୍ରିମକୋର୍ଟ ରୋକ୍‌ ଲଗାଇଥିବାରୁ ବଜାରରେ ସବୁଜ ବାଣର ଖୁବ୍‌ ଚାହିଦା ରହିଛି। ସେହିପରି ବାଣ ଦୋକାନର ସୁରକ୍ଷା ଲାଗି ପାଖରେ ପାଣି, ବାଲି ରଖିବା ପାଇଁ ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଉଚ୍ଚଶବ୍ଦ ସୃଷ୍ଟିକାରୀ ଏବଂ ବାୟୁ ପ୍ରଦୂଷଣ କରୁଥିବା ବାଣ ବିକ୍ରି ଉପରେ କଟକଣା ଜାରି କରାଯାଇଛି। ସେହିପରି ବିଳମ୍ବିତ ରାତିଯାଏ ବାଣଫୁଟା ଉପରେ ମଧ୍ୟ କଟକଣା ଜାରି କରିଛି ପୋଲିସ। ଦୀପାବଳି ଅବସରରେ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁଥିବା ବେଳେ ସୁରକ୍ଷା ଦୃଷ୍ଟିକୋଣରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଥିବା ଏକ ନିର୍ଦ୍ଦିଷ୍ଟ ସ୍ଥାନ ଯଥା ମଙ୍ଗୁ ମଠ ନିକଟରେ କାଉଁରିଆ କାଠି ଜାଳିବା ପାଇଁ ବ୍ୟବସ୍ଥା ହୋଇଛି। ଭକ୍ତଙ୍କ ଯାତାୟାତକୁ ସୁଗମ କରିବା ପାଇଁ ଶ୍ରୀମନ୍ଦିର ଚତୁଃପାଶର୍‌ବକୁ ‘ନୋ ଭେଇକିଲ୍‌ ଜୋନ୍‌’ ମଧ୍ୟ ଘୋଷଣା କରାଯାଇଛି। ସେପଟେ ବିଭିନ୍ନ ପୂଜାମଣ୍ଡପ ଏବଂ ଦେବୀପୀଠଗୁଡିକ କାଳୀପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି। ଦେବୀପୀଠଗୁଡ଼ିକରେ ମା’ଙ୍କର ପୂଜା ଅନୁଷ୍ଠିତ ହେବ। ଶାନ୍ତିଶୃଙ୍ଖଳାରେ କାଳୀପୂଜା ଆୟୋଜନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

Share