ଆଲୋକର ପର୍ବ ଦୀପାବଳି: ରୋଜଗାର ଆଶାରେ କୁମ୍ଭକାର

ସୋନପୁର,୧୧।୧୧(ମୃତ୍ୟୁଞ୍ଜୟ ଶତପଥୀ): ଆଲୋକର ପର୍ବ ଦୀପାବଳି। ଏଥର ଦୀପାବଳିରେ ଭଲ ରୋଜଗାର ହେବ ବୋଲି ସୁବର୍ଣ୍ଣପୁର ଜିଲାର କୁମ୍ଭକାର ପରିବାର ଆଶା ବାନ୍ଧିଛନ୍ତି। ଏଥିପାଇଁ ୧ ମାସ ପୂର୍ବରୁ ସେମାନେ ରାତି ଦିନ ଏକ କରି ଭଳିକି ଭଳି ଦୀପ ତିଆରି କରିଛନ୍ତି। କୁମ୍ଭକାରମାନେ ଛୋଟ ଦୀପ ଠାରୁ ଆରମ୍ଭ କରି ଆଳତୀ ଦୀପ ଯାଏ ସବୁକିଛି ତିଆରି କରିଥିଲେ। ପ୍ରତି ଘରେ ଦୀପାବଳିରେ ଦୀପ ଜଳାଇବାର ପରମ୍ପରା ରହିଛି। ସାଧାରଣତଃ ମାଟି ଦୀପରେ ଘିଅ କିମ୍ବା ଜଡା ତେଲ ଦେଇ ଦୀପ ଜଳା ଯାଇଥାଏ। ଆଧୁନିକତାର ଚାକଚକ୍ୟରେ ଏହି ପର୍ବରେ ଘର ସଜାଇବା ପାଇଁ ଲିଚୁ ଲାଇଟ୍‌ ଓ ମହମବତୀର ବ୍ୟବହାର ବଢୁଥିଲେ ମଧ୍ୟ ସୁବର୍ଣ୍ଣପୁର ଜିଲାରେ ମାଟି ଦୀପର ଆଦର ରହିଛି। ଏବେ ବି ଘରେ ମାଟି ଦୀପ ନ ଲଗାଇଲେ ଦୀପାବଳି ପାଳନ ଅଧୁରା ରହିଗଲା ବୋଲି ଲୋକେ ଭାବନ୍ତି। ଦୀପାବଳି ପାଇଁ ଗତ ୨ ଦିନ ହେଲା କୁମ୍ଭକାର ପରିବାରଙ୍କ ଦ୍ୱାରା ସହରର ବିଜୁ ପଟ୍ଟନାୟକ ଛକ ଏବଂ ଅନ୍ୟ ସ୍ଥାନରେ ମାଟି ଦୀପ ସାଙ୍ଗକୁ ମାଟିରେ ନିର୍ମିତ ବିଭିନ୍ନ ସାମଗ୍ରୀର ପସରା ମେଲିଛି। ଲୋକେ ହାଟ ବଜାର ଯାଇ କୁମ୍ଭକାରଙ୍କ ଠାରୁ ମାଟି ଦୀପ କିଣୁଛନ୍ତି। ଚଳିିତବର୍ଷ ମାଟି ଦୀପର ଭଲ ଚାହିଦା ଅଛି, କୁମ୍ଭକାର ପରିବାର ଭଲ ଦୁଇ ପଇସା ରୋଜଗାର କରିବେ ବୋଲି ସହରର ବିଜୁ ପଟ୍ଟନାୟକ ଛକରେ ମାଟି ଦୀପ ବିକ୍ରି କରୁଥିବା କୁମ୍ଭାର ପଡାର ବାସନ୍ତି ରଣା କହିଛନ୍ତି। ଅନ୍ୟପକ୍ଷେ ଦୀପାବଳୀକୁ ଆଖି ଆଗରେ ରଖି ଜିଲା ପ୍ରଶାସନ ପକ୍ଷରୁ ସହରର ବ୍ଲକ ଛକଠାରେ ଅସ୍ଥାୟୀ ଭାବେ ଟେରାକୋଟା ବିକ୍ରୟ କେନ୍ଦ୍ର ଖୋଲାଯାଇଛି। ଏହି କେନ୍ଦ୍ର ସମ୍ମୁଖରେ ଭିଡ ପରିଲକ୍ଷିତ ହେଉଛି। ଏଥର ପରିବେଶ ପ୍ରଦୂଷଣକାରୀ ବାଣ ନ ଫୁଟାଇବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ସବୁଜ ବାଣ ଫୁଟାଇବା ସହିତ ନିଜକୁ ସୁରକ୍ଷିତ ରଖିବା ପାଇଁ ସଚେତନ କରାଯାଇଛି। ତେଣୁ କୁମ୍ଭକାରଙ୍କଠାରୁ ମାଟିରେ ତିଆରି ଦୀପ କିଣି ପରିବେଶ ଅନୁକୂଳ ଦୀପାବଳି ପାଳନ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।