Categories: ଖେଳ

ଜୋକୋଭିଚ୍‌ଙ୍କୁ ସର୍ବିୟା ପ୍ରଧାନମନ୍ତ୍ରୀଙ୍କ ସମର୍ଥନ

ନୂଆଦିଲ୍ଲୀ, ୨।୭-  କରୋନା ସଂକ୍ରମଣ ସମୟରେ ଆଡ୍ରିଆ ଓପନ ଟେନିସ ଟୁର୍ନାମେଣ୍ଟ ଆୟୋଜନ କରି ସମାଲୋଚନାର ଶିକାର ହେବାରେ ଲାଗିଛନ୍ତି। ବେଲଗ୍ରେଡ୍‌ରେ ଅନୁଷ୍ଠିତ ଚରଣରେ ଖେଳିବା ଦ୍ୱାରା ନିଜେ ଜୋକୋଭିଚ୍‌ଙ୍କ ସମେତ ଗ୍ରିଗୋର ଡିମିଟ୍ରୋଭ, ବୋର୍ନା କୋରିକ ଏବଂ ଭିକ୍ଟର ଟ୍ରୋଇକି କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଟୁର୍ନାମେଣ୍ଟ ଅବସରରେ ଉପସ୍ଥିତ ଥିବା ଜୋକୋଭିଚ୍‌ଙ୍କ ସ୍ତ୍ରୀ ଏବଂ ଏନବିଏ ତାରକା ନିକୋଲା ଜୋକିକ୍‌ ମଧ୍ୟ ଏହି ସଂକ୍ରମଣର ଶିକାର ହୋଇଛନ୍ତି। ତେବେ ଜୋକୋଭିଚ୍‌ଙ୍କୁ ସମର୍ଥନ ଜଣାଇଛନ୍ତି ସର୍ବିୟା ପ୍ରଧାନମନ୍ତ୍ରୀ ଆନା ବ୍ରାନାବିଚ୍‌। ଟୁର୍ନାମେଣ୍ଟ ଆୟୋଜନ ପାଇଁ ଜୋକୋଭିଚ୍‌ଙ୍କୁ ନୁହେଁ ବରଂ ମୋତେ ଦାୟୀ କରାଯାଉ ବୋଲି ବ୍ରାନାବିଚ୍‌ କହିଛନ୍ତି। ଜୋକୋଭିଚ୍‌ଙ୍କୁ ଏକୁଟିଆ ଛାଡ଼ି ଦିଆଯାଉ ବୋଲି ସେ ପ୍ରକାଶ କରିଛନ୍ତି। ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶର ହିତ ପାଇଁ ଜୋକୋଭିଚ୍‌ କିଛି ଭଲ କରିବାକୁ ଚାହିଁଥିଲେ। ସେ କୌଣସି ରାଜନୀତି ନୁହେଁ, ବରଂ ଯୁବ ଏବଂ ପ୍ରତିଷ୍ଠିତ ହୋଇପାରି ନ ଥିବା ଟେନିସ ଖେଳାଳିଙ୍କ ସାହାଯ୍ୟ କରିବାକୁ ଚାହିଁଥିଲେ। ଲୋକଙ୍କ ଉପରକାର ଉଦ୍ଦେଶ୍ୟରେ ସେ ଅର୍ଥ ଉପାର୍ଜନ କରିବାକୁ ଚେଷ୍ଟା କରିଥିଲେ। ତେଣୁ ଲୋକମାନେ ତାଙ୍କ ପ୍ରତି ନୁହେଁ ବରଂ ପ୍ରଧାନମନ୍ତ୍ରୀଭାବେ ମୋ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବା ଉଚିତ ବୋଲି ବ୍ରାନାବିଚ୍‌ ଅନୁଭବ କରୁଛନ୍ତି। ଜୋକୋଭିଚ୍‌ଙ୍କୁ ଦାୟୀ କରା ନ ଯାଇ ତାଙ୍କୁ ଦାୟୀ କରାଗଲେ ସେ ଖୁସିହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରକାଶ ଯୋଗ୍ୟ ଯେ, କୋଭିଡ-୧୯ ଟେଷ୍ଟରେ ପଜିଟିଭ୍‌ ଆସିବାପରେ ଜୋକୋଭିଚ୍‌ କ୍ଷମାପ୍ରାର୍ଥନା କରିଥିଲେ।

 

Share