Categories: ଖେଳ

ହାରିବା ପରେ ପୁଅକୁ ଦେଖି କାନ୍ଦି ପକାଇଲେ ଜୋକୋଭିଚ୍‌

ଲଣ୍ଡନ, ୧୭।୭: ବିଶ୍ୱର ନମ୍ବରଓ୍ବାନ ଟେନିସ ଖେଳାଳି ସ୍ପେନର ୨୦ ବର୍ଷୀୟ କାର୍ଲୋସ ଅଲ୍‌କାରାଜ ଗାର୍ଫିଆ ଚଳିତ ବର୍ଷର ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ରବିବାର ଅନୁଷ୍ଠିତ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ସେ ଦ୍ୱିତୀୟ ସିଡ୍‌ ତଥା ୭ ଥର ଚାମ୍ପିୟନ ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ଙ୍କୁ ୧-୬, ୭-୬ (୮/୬), ୬-୧, ୩-୬, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ଏଥିସହ ଓ୍ବିମ୍ବେଲଡନରେ ଜୋକୋଭିଚ୍‌ଙ୍କ ୩୪ ମ୍ୟାଚ ବିଜୟ ପଥରେ ବ୍ରେକ୍‌ ଲାଗିଛି। ମ୍ୟାଚ ଶେଷ ହେବା ପରେ ଜୋକୋଭିଚ୍‌ ମଧ୍ୟ ବହୁତ ନିରାଶ ହୋଇଥିଲେ ଏବଂ ଏହି ସମୟ ମଧ୍ୟରେ ସେ ତାଙ୍କ ପୁଅକୁ ଷ୍ଟାଣ୍ଡରେ ବସିଥିବାର ଦେଖି ଭାବପ୍ରବଣ ହୋଇଥିଲେ।
ଜୋକୋଭିଚ୍‌ଙ୍କ ପତ୍ନୀ ଏବଂ ତାଙ୍କ ଦୁଇ ପୁଅ ୱିମ୍ବେଲଡନଙ୍‌ ଫାଇନାଲ ମ୍ୟାଚ ଦେଖିବାକୁ ଆସିଥିଲେ। ମ୍ୟାଚ ସରିବା ପରେ ଜୋକୋଭିଚ୍‌ ସାନପୁଅ ଷ୍ଟେଫାନଙ୍କ ବିଷୟରେ କହୁଥିବା ସମୟରେ ଭାବପ୍ରବଣ ହୋଇଥିଲେ। ଜୋକୋଭିଚ୍‌ କହିଛନ୍ତି, ମୋ ପୁଅ ସେଠାରେ ହସୁଥିବା ଦେଖି ଭଲ ଲାଗୁଛି। ମୁଁ ତୁମକୁ ବହୁତ ଭଲ ପାଏ, ମୋତେ ସମର୍ଥନ କରିଥିବାରୁ ଧନ୍ୟବାଦ। ମୁଁ ତୁମକୁ ଜୋରରେ ଆଲିଙ୍ଗନ କରିବି ଏବଂ ଆମେ ସମସ୍ତେ ପରସ୍ପରକୁ ଭଲ ପାଇବା। ଏହି ଉପାୟରେ ହାରିବାକୁ କେହି ବି ପସନ୍ଦ କରିବେ ନାହିଁ।
ଫାଇନାଲର ପ୍ରଥମ ସେଟ୍‌କୁ ଅତି ସହଜରେ ଜିତିଥିଲେ ଜୋକୋଭିଚ୍‌। ନିଜ ଅଭିଜ୍ଞତାର ଉପଯୋଗ କରି ସେ ୬-୧ରେ ବିଜୟୀ ହୋଇଥିଲେ। ଦ୍ୱିତୀୟ ସେଟ୍‌ରେ କିନ୍ତୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ଅଲକାରାଜ। ଉଭୟଙ୍କ ପଏଣ୍ଟ ୬-୬ ହେବାପରେ ଟାଇବ୍ରେକର ପଦ୍ଧତି ଅବଲମ୍ବନ କରାଯାଇଥିଲା। ଏଥିରେ ଆଲକାରାଜ ୮-୬ରେ ବାଜି ମାରିଥିଲେ। ତୃତୀୟ ସେଟ୍‌କୁ ଅତି ସହଜରେ ୬-୧ରେ ଜିତିଥିଲେ ବିଶ୍ୱର ଏହି ନମ୍ବରଓ୍ବାନ ଖେଳାଳି। ମାତ୍ର ୪ର୍ଥ ସେଟ୍‌ରେ ପୁଣି ନିଜ ଦକ୍ଷତା ଦେଖାଇଥିଲେ ଜୋକୋଭିଚ୍‌। ୬-୩ରେ ବିଜୟୀ ହୋଇ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ। ୫ମ ତଥା ନିର୍ଣ୍ଣାୟକ ସେଟ୍‌କୁ ଅଲକାରାଜ ୬-୪ରେ ଜିତି ହୋଇଥିଲେ ନୂଆ ଚାମ୍ପିୟନ। ପ୍ରଥମଥରପାଇଁ ସେ ଓ୍ବିମ୍ବେଲଡନ ଫାଇନାଲରେ ପ୍ରବେଶ କରିଥିଲେ ଏବଂ ଚାମ୍ପିୟନ ହୋଇଥିଲେ।

Share