ଓ୍ବାଶିଂଟନ,୪ା୪: ପୁରସ୍କାର ରାଶି ବୃଦ୍ଧି ଦାବିରେ ନୋଭାକ ଜୋକୋଭିକ, ଜାନିକ ସିନର, ଆରିନା ସାବାଲେଙ୍କା ଓ କୋକୋ ଗଫଙ୍କ ସମେତ ବିଶ୍ୱର ୨୦ ଆଗଧାଡ଼ିର ଟେନିସ ଖେଳାଳିମାନେ ସେମାନଙ୍କ ହସ୍ତାକ୍ଷର ଥିବା ଦାବିପୂର୍ଣ୍ଣ ଚିଠିକୁ ୪ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ମୁଖ୍ୟଙ୍କୁ ପଠାଇଛନ୍ତି। ଗତ ମାର୍ଚ୍ଚ ୨୧ ତାରିଖରେ ଅଷ୍ଟ୍ରେଲିଆନ ଓପନର ମୁଖ୍ୟ କ୍ରେଗ ଟିଲି, ଫ୍ରେଞ୍ଚ ଓପନର ଷ୍ଟିଫେନ ମୋରେଲ, ଓ୍ବିମ୍ବଲଡନର ସାଲି ବଲଟନ ଓ ୟୁଏସ୍ ଓପନର ଲିଉ ଶେରଙ୍କୁ ଏହି ଚିଠି ପଠାଯାଇଥିଲା।
ଚିଠି ଆରମ୍ଭରେ ଚଳିତ ମାସରେ ହେବାକୁ ଥିବା ମାଡ୍ରିଡ୍ ଓପନ ବେଳେ ଖେଳାଳିଙ୍କ ପ୍ରତିନିଧି ଓ ୪ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ମୁଖ୍ୟଙ୍କ ମଧ୍ୟରେ ଏକ ବୈଠକ ଆୟୋଜନ କରିବାକୁ ଅନୁରୋଧ କରାଯାଇଛି। ଚିଠିର ଶେଷ ଭାଗରେ ଟପ ୧୧ ମଧ୍ୟରୁ ୧୦ ମହିଳା ଖେଳାଳି ଓ ଟପ ୧୦ ପୁରୁଷ ଖେଳାଳିଙ୍କ ହସ୍ତାକ୍ଷର ରହିଛି। କେବଳ ଏଲିନା ରିବାକିନାଙ୍କ ନାମ ଏଥିରୁ ବାଦ୍ ପଡ଼ିଛି। ଖେଳାଳିମାନେ ୩ଟି ବିଭାଗ ଉପରେ ଧ୍ୟାନ ଦେବାକୁ ଦାବି କରିଛନ୍ତି। ପ୍ରଥମ ଦାବି ହେଲା, ଦୁଇଟି ପ୍ରୋ ଟୁର୍ସ ଦ୍ୱାରା ପ୍ରତିଷ୍ଠିତ ଖେଳାଳିଙ୍କ କଲ୍ୟାଣ ଯୋଜନା ଲାଗି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଆର୍ଥିକ ଯୋଗଦାନ ଦେବା ଉଚିତ।
ଦ୍ୱିତୀୟତଃ, ଟୁର୍ନାମେଣ୍ଟର ମୂଲ୍ୟରେ ଖେଳାଳିଙ୍କ ବିଶେଷ ଅବଦାନ ରହିଥିବାରୁ ପୁରସ୍କାର ରାଶିରେ ଟୁର୍ନାମେଣ୍ଟର ରାଜସ୍ବର ଉଚିତ ପ୍ରତିଶତ ବୃଦ୍ଧି କରାଯିବା ଦରକାର। ତୃତୀୟ କଥା ହେଲା, ଖେଳାଳିଙ୍କ ସ୍ବାସ୍ଥ୍ୟ ଓ କଲ୍ୟାଣ ସମେତ ଟୁର୍ନାମେଣ୍ଟକୁ ସିଧାସଳଖ ପ୍ରଭାବିତ କରୁଥିବା ନିଷ୍ପତ୍ତିରେ ଆଥଲେଟଙ୍କ ମତକୁ ଗୁରୁତ୍ୱ ଦିଆଯିବା ଉଚିତ। ଟେନିସ ସିଜନର ପରବର୍ତ୍ତୀ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ହେଉଛି ଫ୍ରେଞ୍ଚ ଓପନ, ଯାହାର ମୁଖ୍ୟ ଡ୍ରେ ମେ’ ୨୫ରୁ ଆରମ୍ଭ ହେବ।