Categories: ଖେଳ

ଫାଇନାଲରେ ଜୋକୋଭିଚ୍‌

ଲଣ୍ଡନ, ୧୫।୭: ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱର ଏହି ୨ ନମ୍ବର ଖେଳାଳି ଶୁକ୍ରବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ୮ମ ସିଡ୍‌ ଇଟାଲିର ଜାନିକ ସିନରଙ୍କୁ ୬-୩, ୬-୪, ୭-୬ (୭/୪) ସେଟ୍‌ରେ ପରାସ୍ତ କରିଛନ୍ତି। ଜୋକୋଭିଚ୍‌ ପ୍ରଥମ ଦୁଇ ସେଟ୍‌କୁ ସହଜରେ ଜିତିଥିଲେ ମଧ୍ୟ ତୃତୀୟ ସେଟ୍‌ରେ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ସିନର। ଫଳରେ ଟାଇବ୍ରେକର ମାଧ୍ୟମରେ ଏହି ସେଟ୍‌ ନିର୍ଣ୍ଣିତ ହୋଇଥିଲା। ଏଥିରେ ଅଭିଜ୍ଞତାର ଉପଯୋଗ କରି ବାଜି ମାରିଥିଲେ ଜୋକୋଭିଚ୍‌।
ଜୋକୋଭିଚ୍‌ ଏହାକୁ ମିଶାଇ ୯ମ ଥର ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଛନ୍ତି। ଏହା ପୂର୍ବରୁ ସେ ୨୦୧୧, ୨୦୧୪, ୨୦୧୫, ୨୦୧୮, ୨୦୧୯, ୨୦୨୧ ଓ ୨୦୨୨ରେ ଚାମ୍ପିୟନ ହୋଇଥିବାବେଳେ ୨୦୧୩ରେ ରନରଅପ୍‌ ହୋଇଥିଲେ। ଏହା ବ୍ୟତୀତ ସେ ୧୦ ଥର ଅଷ୍ଟ୍ରେଲିଆନ ଓପନ, ୩ ଥର ଫ୍ରେଞ୍ଚ୍‌ ଓପନ ଏବଂ ୩ ଥର ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ଅନ୍ୟପକ୍ଷରେ ପ୍ରଥମଥରପାଇଁ ଓ୍ବିମ୍ବେଲଡନର ସେମିଫାଇନାଲରେ ପ୍ରବେଶ କରିଥିବା ସିନରଙ୍କ ଅଭିଯାନ ଏହିଠାରୁ ଶେଷ ହୋଇଛି। ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ଏହାଥିଲା ତାଙ୍କର ଶ୍ରେଷ୍ଠ ସଫଳତା। ଏହା ପୂର୍ବରୁ ସେ କେବେହେଲେ କୌଣସି ଗ୍ରାଣ୍ଡସ୍ଲାମର ସେମିଫାଇନାଲରେ ପ୍ରବେଶ କରିପାରି ନ ଥିଲେ।
ମହିଳା ଡବଲ୍ସ
ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ମହିଳା ଡବଲ୍ସର ୨ଟି ସେମିଫାଇନାଲ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ସେମିଫାଇନାଲରେ ସାରା ସୋରିବେସ ଟୋର୍ମୋ ଓ ମାରି ବୌଜକୋଭା ଯୋଡ଼ିଙ୍କୁ ୬-୪, ୬-୧ ସେଟ୍‌ରେ ହରାଇ ହସି ସୁ-ଓ୍ବେଇ ଓ ବାର୍ବରା ଷ୍ଟ୍ରାଇକୋଭା ଯୋଡ଼ି ଫାଇନାଲରେ ପ୍ରବେଶ କରିଛନ୍ତି। ସେହିପରି ଦ୍ୱିତୀୟ ସେମିଫାଇନାଲରେ ଏଲିସେ ମେର୍ଟେନ୍ସ ଓ ଷ୍ଟର୍ମ ସାଣ୍ଡର୍ସ ଯୋଡ଼ି ୬-୧, ୬-୧ରେ ଝାଙ୍ଗ ଶୁଇ ଓ କାରୋଲିନ ଡୋଲେହିଡ୍‌ଙ୍କୁ ପରାସ୍ତ କରି ଟାଇଟଲ ପର୍ଯ୍ୟାୟରେ ପହଞ୍ଚତ୍ଛନ୍ତି।

Share