ବେଙ୍ଗାଲୁରୁ,୧୫।୫: କର୍ନାଟକର ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଚାଲିଛି ମନ୍ଥନ। ଇତିମଧ୍ୟରେ ସିଦ୍ଦାରାମାୟା ନୂଆଦିଲ୍ଲୀ ପହଞ୍ଚି ସାରିଛନ୍ତି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ରେସରେ ସାମିଲ ହୋଇଥିବା ରାଜ୍ୟର କଂଗ୍ରେସ ଅଧ୍ୟକ୍ଷ ଡିକେ ଶିବକୁମାର ସୋମବାର ଏକ ପ୍ରେସ କନଫରେନ୍ସରେ ସିଦ୍ଦାରାମାୟାଙ୍କ ବହୁମତ ଦାବିକୁ ନେଇ କହିଛନ୍ତି, ମୁଁ କୌଣସି ସଂଖ୍ୟାର ଦାବି କରୁନାହିଁ, ଯାହା କଂଗ୍ରେସର ସଂଖ୍ୟା ତାହା ମୋର ସଂଖ୍ୟା। ସମସ୍ତ ବିଧାୟକ ଦଳ ମୁଖିଆଙ୍କ ଉପରେ ନିଷ୍ପତ୍ତି ଛାଡି ଦେଇଛନ୍ତି।
ଡି.କେ ଆହୁରି ମଧ୍ୟ କହିଛନ୍ତି ଯେତେବେଳେ କଂଗ୍ରେସ ବିଧାୟକମାନେ ଦଳ ଛାଡି ଚାଲିଯାଇଥିଲେ ସେତେବେଳେ ବି ମୁଁ ଆଶା ଛାଡି ନ ଥିଲି। ସଂଘର୍ଷ କରି ଆଜି କଂଗ୍ରେସକୁ ଏହି ସ୍ଥାନକୁ ଆଣିଛି। ସମୟ ଆସିଲେ ଗତ ପାଞ୍ଚ ବର୍ଷ ମଧ୍ୟରେ ମୋ ସହିତ କ’ଣ ଘଟିଲା ମୁଁ ପ୍ରକାଶ କରିବି ଆଜି ମୋର ଜନ୍ମଦିନ, ମୁଁ ମୋର ପରିବାର ଏବଂ ଗୁରୁଙ୍କୁ ଭେଟିବି। ଏହା ପରେ ମୁଁ ଦିଲ୍ଲୀ ଯିବି।
ସେ କହିଛନ୍ତି ଯେ ଆମେ ଏକ ସିଙ୍ଗଲ ଲାଇନ ରେଜୋଲୁସନ ପାସ କରିଛୁ। ଆମର ୧୩୫ ଜଣ ବିଧାୟକ ଅଛନ୍ତି, ସମସ୍ତେ ଗୋଟିଏ ସ୍ବରରେ (ମୁଖ୍ୟମନ୍ତ୍ରୀ ନିଯୁକ୍ତ) ଦଳ ହାଇକମାଣ୍ଡକୁ ଛାଡିଛନ୍ତି। ମୋର ଲକ୍ଷ୍ୟ ହେଉଛି କଂଗ୍ରେସ ଦଳ ମାଧ୍ୟମରେ କର୍ଣ୍ଣାଟକର ସେବା କରିବା।