Categories: ଜାତୀୟ

‘ତାମିଲଙ୍କୁ ଶୂଦ୍ର କରିଦେବ ହିନ୍ଦୀ’

ଚେନ୍ନାଇ,୭।୬:ଡିଏମ୍‌କେ ନେତା ତଥା ରାଜ୍ୟ ସଭା ସଦସ୍ୟ ଟି.କେ.ଏସ୍‌. ଇଲାଙ୍ଗୋଭାନ ହିନ୍ଦୀ ଭାଷାକୁ ବିରୋଧ କରିଛନ୍ତି। ସେ କହିଛନ୍ତି, ହିନ୍ଦୀ କହିବା ଦ୍ୱାରା ତାମିଲ ଲୋକମାନେ ଶୂଦ୍ର ବା ନିମ୍ନ ଜାତି ପାଲଟିଯିବେ। ଦକ୍ଷିଣ ଭାରତରେ ମନୁ ଧର୍ମ ପ୍ରଚଳନ କରିବା ପାଇଁ ଯୋଜନା ଚାଲିଥିବା ସେ କହିଛନ୍ତି। ଉନ୍ନତ ରାଜ୍ୟ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, କର୍ନାଟକ, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶରେ ହିନ୍ଦୀ ମାତୃଭାଷା ନୁହେଁ। ଅନଗ୍ରସର ରାଜ୍ୟ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ବିହାର, ରାଜସ୍ଥାନରେ ଲୋକମାନେ ହିନ୍ଦୀକୁ ନିଜର ମାତୃଭାଷା ଭାବେ ଗ୍ରହଣ କରିଥିବା ସେ କହିଛନ୍ତି। ତେବେ ହିନ୍ଦୀ ଭାଷାକୁ ନିମ୍ନଜାତି ସହ ତୁଳନା କରିଥିବାରୁ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେହିପରି କିଛିଦିନ ପୂର୍ବେ ହିନ୍ଦୀ କହୁଥିବା ଲୋକ ରାଜ୍ୟରେ ଗୁପ୍‌ଚୁପ୍‌ ବିକୁଥିବା ଡିଏମ୍‌କେ ନେତା ତଥା ଉଚ୍ଚଶିକ୍ଷାମନ୍ତ୍ରୀ କେ. ପୋନମୁଡି କହିଥିଲେ।

Share