ଚେନ୍ନାଇ,୨୮।୧୦: ଭାଜପା ନେତ୍ରୀ ଖୁସବୁ ସୁନ୍ଦରଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇ ଫସିଯାଇଛନ୍ତି ତାମିଲନାଡୁର ଡିଏମକେ ନେତା ସଦାଇ ସାଦିକ। ଚାରିଆଡୁ ବିରୋଧ ହେବା ପରେ ଶେଷରେ ସେ ଖୁସ୍ବୁଙ୍କୁ କ୍ଷମା ମାଗିଛନ୍ତି। ସିଦ୍ଦିକ ସଫେଇ ଦେଇ କହିଛନ୍ତି। ମୋ ମନ୍ତବ୍ୟକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି। ଖୁସବୁଙ୍କ ସମେତ କୌଣସି ନେତ୍ରୀଙ୍କୁ ଆଘାତ ଦେବାର ମୋର ଉଦ୍ଦେଶ୍ୟ ନ ଥିଲା। ତଥାପି ମୁଁ ମୋର ମନ୍ତବ୍ୟ ପାଇଁ କ୍ଷମା ମାଗୁଛି।
ସୂଚନାଯୋଗ୍ୟ,ଗୋଟିଏ ସାଧାରଣ ସଭାରେ ସାଦିକ କହିଥିଲେ, ଭାଜପାର ୪ ନେତ୍ରୀ ନମିତା, ଖୁସବୁ ସୁନ୍ଦର, ଗୌତମୀ ଓ ଗାୟତ୍ରୀ ରଘୁରାମ ହେଉଛନ୍ତି ଆଇଟମ। ଖୁସବୁ ସବୁବେଳେ ତାମିଲନାଡୁରେ ପଦ୍ମ ଫୁଟିବ ନାରା ଦେଉଛନ୍ତି। କିନ୍ତୁ ଅମିତ ଶାହଙ୍କ ପଛ ପଟ ମୁଣ୍ଡରେ ଚୁଟି ଉଠିଗଲେ ମଧ୍ୟ ତାମିଲନାଡୁରେ ପଦ୍ମ ଫୁଟିବାର କୌଣସି ସମ୍ଭାବନା ନାହିଁ। ଏହାସହ ସାଦିକ ଆହୁରି ମଧ୍ୟ ଖୁସବୁଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ଭାଜପା ନେତାମାନେ ଡିଏମ୍କେକୁ ଟାର୍ଗେଟ କରିଥିଲେ। ଏହାକୁ ନେଇ ବିବାଦ ଉପୁଜିବାରୁ ପ୍ରଥମେ ଡିଏମକେର ବରିଷ୍ଠ ନେତା କାନିମୋଝୀ ଟୁଇଟର୍ ଜରିଆରେ କ୍ଷମା ମାଗିଥିଲେ।