Categories: ଜାତୀୟ

ଡିଏମକେ ନେତାଙ୍କ ବିବାଦୀୟ ମନ୍ତବ୍ୟ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଘେରିଲେ ଖୁସବୁ ସୁନ୍ଦର, କହିଲେ ଏହା ଆପଣଙ୍କ ଅପମାନ…

ଚେନ୍ନାଇ୧୮।୬ : ତାମିଲନାଡୁ ଭାଜପା ନେତା ଖୁସବୁ ସୁନ୍ଦର ଡିଏମକେକୁ ଟାର୍ଗେଟ କରିଛନ୍ତି। ବାସ୍ତବରେ ଜଣେ ଡିଏମକେ ନେତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଡିଏମକେ ନେତା ଖୁସବୁ ସୁନ୍ଦରଙ୍କ ବିଷୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏହା ଉପରେ ସେ ଡିଏମକେ ନେତାଙ୍କୁ ଟାର୍ଗେଟ କରିଛନ୍ତି ଏବଂ ଡିଏମକେ ନେତୃତ୍ୱକୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି।

ଡିଏମକେ ନେତାଙ୍କ ଭିଡିଓ ଟୁଇଟ କରି ଖୁସବୁ ସୁନ୍ଦର ଲେଖିଛନ୍ତି, ଏପରି ଅଭ୍ୟାସଗତ ଅପରାଧୀଙ୍କ ଅଶ୍ଳୀଳ ମନ୍ତବ୍ୟ ଡିଏମକେର ରାଜନୈତିକ ସଂସ୍କୃତିକୁ ପ୍ରତିଫଳିତ କରିଥାଏ। ପାର୍ଟିରେ ଅନେକ ନେତା ଅଛନ୍ତି, ଯେଉଁମାନେ ମହିଳାଙ୍କ ବିଷୟରେ ଅଶ୍ଳୀଳ ମନ୍ତବ୍ୟ ଦିଅନ୍ତି ସେମାନେ ପାର୍ଟିରେ ଅଧିକ ସୁଯୋଗ ପାଆନ୍ତି । ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କୁ ଟ୍ୟାଗ କରି ଖୁସବୁ ସୁନ୍ଦର ପଚାରିଛନ୍ତି, ଆପଣ ଆପଣଙ୍କ ପରିବାରର ମହିଳାମାନଙ୍କ ବିଷୟରେ ଏପରି ବିବୃତ୍ତି ଗ୍ରହଣ କରିବ କି?

ସେ  ଟୁଇଟରେ ଲେଖିଛନ୍ତି ଆପଣ ଜାଣି ନାହାଁନ୍ତି, ଏହା କେବଳ ଆପଣଙ୍କୁ ଅପମାନିତ କରୁନାହିଁ ବରଂ ଆପଣଙ୍କ ମହାନ ପିତାଙ୍କୁ ମଧ୍ୟ ଅପମାନିତ କରୁଛି। ଏହି ପରି ନେତାମାନଙ୍କୁ ଆପଣ ଯେତେ ସୁଯୋଗ ଦେବ, ଆପଣଙ୍କ ରାଜନୈତିକ ଲୋକପ୍ରିୟତା ସେତିକି ହ୍ରାସ ପାଇବ। ଆପଣଙ୍କ ପାର୍ଟି ଏହିପରି ଗୁଣ୍ଡମାନଙ୍କ ପାଇଁ ଏକ ସୁରକ୍ଷା କ୍ଷେତ୍ର ହୋଇପାରିଛି ଏବଂ ଏହା ଅତ୍ୟନ୍ତ ଲଜ୍ଜାଜନକ ବିଷୟ ।

ସୂଚନାଯୋଗ୍ୟ, ଡିଏମକେ ନେତା ଶିବାଜୀ କୃଷ୍ଣମୂର୍ତ୍ତି ଖୁସବୁ ସୁନ୍ଦରଙ୍କୁ ଏକ ପୁରୁଣା ପାତ୍ର ବୋଲି କହିଥିଲେ। ତାମିଲନାଡୁ ଭାଜପା ସଭାପତି କେ ଅନ୍ନାମାଲାଇ କହିଥିଲେ ଡିଏମକେ ନେତା କୃଷ୍ଣମୂର୍ତ୍ତି ଏହାପୂର୍ବରୁ ରାଜ୍ୟପାଳଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଏବଂ ବର୍ତ୍ତମାନ ଖୁସବୁ ସୁନ୍ଦରଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ସମ୍ପୂର୍ଣ୍ଣ ନିନ୍ଦନୀୟ। ଡିଏମକେ ନେତାଙ୍କ ବିରୋଧରେ ଅନ୍ନାମାଲାଇ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

Share