Categories: ଜାତୀୟ

ଭାଜପା ବିଷଧର ସର୍ପ: ଉଦୟନିଧି ଷ୍ଟାଲିନ

ଚେନ୍ନାଇ,୧୧।୯: ତାମିଲନାଡୁର କ୍ରୀଡ଼ା ମନ୍ତ୍ରୀ ତଥା ଡିଏମକେ ନେତା ଉଦୟନିଧି ଷ୍ଟାଲିନ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି। ସେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଏକ ବିଷଧର ସାପ ସହିତ ତୁଳନା କରିଛନ୍ତି ଏବଂ ଏହାକୁ ତାମିଲନାଡୁରୁ ବାହାର କରିଦେବା ଆବଶ୍ୟକ ବୋଲି କହିଛନ୍ତି। ହିନ୍ଦୁ ଧର୍ମ ଏବଂ ସନାତନ ଧର୍ମ ଉପରେ ବିବାଦୀୟ ବୟାନ ଦେଇଥିବା ଉଦୟନିଧିଙ୍କ ଏହି ବୟାନ ଉପରେ ମଧ୍ୟ ଉତ୍ତେଜନା ଦେଖାଦେଇପାରେ। ସନାତନ ଧର୍ମ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଦେଇଥିବା ବୟାନ ଉପରେ ଭାଜପା ପୂର୍ବରୁ ଆକ୍ରମଣ କରୁଛି।
କୁଡାଲୋର ଜିଲାର ନେଭେଲିରେ ଡିଏମକେ ବିଧାୟକ ରାଜେନ୍ଦ୍ରନଙ୍କ ପାରିବାରିକ ବିବାହ ଉତ୍ସବରେ ଯୋଗଦେବା ପାଇଁ ଉଦୟନିଧି ଏଠାରେ ପହଞ୍ଚିଥିଲେ। ଏଠାରେ ଥିବା ଲୋକଙ୍କୁ ସମ୍ବୋଧିତ କରିବାବେଳେ ସେ କେବଳ ଭାଜପା ଉପରେ ବର୍ଷି ନାହାଁନ୍ତି ବରଂ ଏହାର ସହଯୋଗୀ ଏଆଇଏଡିଏମକେକୁ ମଧ୍ୟ ଟାର୍ଗେଟ କରିଛନ୍ତି। ଉଦୟନିଧି ଏଆଇଏଡିଏମକୁ ଅଳିଆ ଆବର୍ଜନା ସହିତ ତୁଳନା କଲେ ଯାହା ସାପମାନଙ୍କୁ ଆଶ୍ରୟ ଦେଇଥାଏ। ଏହି ବର୍ଜ୍ୟବସ୍ତୁକୁ ମଧ୍ୟ ରାଜ୍ୟରୁ ସଫା କରିବାକୁ ପଡିବ ବୋଲି ସେ କହିଛନ୍ତି।

Share