ଡିଏମ୍‌ୟୁ ଟ୍ରେନ୍‌ ବାତିଲ: ଯାତ୍ରୀ ନିରାଶ

ବୈଶିଙ୍ଗା, ୧୦।୨ (ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଯୁଗଳ ଓ ଯୁଗୁପୁରା ରେଳ ଷ୍ଟେଶନଠାରେ ବୁଧବାର ସକାଳେ ବହୁ ଯାତ୍ରୀ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ ହେଁ ଡିଏମ୍‌ୟୁ ଟ୍ରେନ୍‌ ଆସି ନ ଥିଲା। ଫଳରେ ରୂପ୍‌ସା ଓ ବାଲେଶ୍ୱର ଯିବା ପାଇଁ ଅପେକ୍ଷା କରିଥିବା ବହୁ ଯାତ୍ରୀଙ୍କୁ ନିରାଶ ହେବାକୁ ପଡ଼ିଥିଲା। ପରେ ଖଡ଼ଗପୁର ରେଳ ଡିଭିଜନର ଡିଆର୍‌ଏମ୍‌ ଓ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀମାନେ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ବିଦ୍ୟୁତୀକରଣ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ଅନୁସନ୍ଧାନ କରିବା ପାଇଁ ଆସିଥିବାରୁ ସକାଳ ସମୟର ଡିଏମ୍‌ୟୁ ଟ୍ରେନ୍‌କୁ ବାତିଲ କରାଯାଇଥିବା ଜଣାପଡ଼ିଥିଲା। ତେବେ ଏ ସମ୍ପର୍କରେ କୌଣସି ପୂର୍ବ ସୂଚନା ରେଳ ବିଭାଗ ପକ୍ଷରୁ ଦିଆଯାଇ ନ ଥିବା ଯୋଗୁ ଯାତ୍ରୀମାନଙ୍କୁ ହଇରାଣ ହେବାକୁ ପଡ଼ିଥିଲା। ଭବିଷ୍ୟତରେ ଆଗୁଆ ସୂଚନା ଦେବା ପାଇଁ ସ୍ଥାନୀୟ ଅଞ୍ଚଳର ବିଜୟ ରାଉତ, ଅଶ୍ୱିନୀ ମହାରଣା, ଅଜୟ ପ୍ରଧାନ, ଦେବାଶିଷ ମହାପାତ୍ର ପ୍ରମୁଖ ଦାବି କରିଛନ୍ତି।