Categories: ଜାତୀୟ

ଡିଏନ୍‌ଏ ଟେଷ୍ଟ ବୈଧ ପ୍ରମାଣ

ପ୍ରୟାଗରାଜ,୧୯ା୧୧: ଶିଶୁର ପିତୃତ୍ୱ ପ୍ରମାଣିତ କରିବା ଲାଗି ଡିଓକ୍ସିରିବୋନ୍ୟୁକ୍ଲେଇକ୍‌ ଏସିଡ୍‌ (ଡିଏନ୍‌ଏ) ବା ଗୁଣସୂତ୍ର ପରୀକ୍ଷା ହେଉଛି ସବୁଠୁ ବୈଧ ଓ ବୈଜ୍ଞାନିକ ଉପାୟ। ସ୍ତ୍ରୀଙ୍କ ଯୌନଗତ ବିଶ୍ୱସନୀୟତା ବା ସତୀତ୍ୱର ପ୍ରମାଣ ପାଇଁ ମା’ ଓ ଜନ୍ମିତ ସନ୍ତାନଙ୍କ ଡିଏନ୍‌ଏ ଟେଷ୍ଟ ଉତ୍କୃଷ୍ଟ ମାଧ୍ୟମ ବୋଲି ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି।
୨୦୧୮ର ଏକ ମାମଲାରେ ରାୟ ଶୁଣାଇ ହାଇକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି, ଯେଉଁଠି ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଛାଡ଼ପତ୍ର ଦେଇଥିଲେ। ସ୍ତ୍ରୀଙ୍କ ସହ ସ୍ବାମୀ ଶାରୀରିକ ସମ୍ପର୍କ ରଖି ନ ଥିବାବେଳେ ଦମ୍ପତିଙ୍କ ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା। ଫଳରେ ସ୍ତ୍ରୀଙ୍କ ବିରୋଧରେ ବ୍ୟଭିଚାର ଅଭିଯୋଗ ଆଣି ତାଙ୍କର ଡିଏନ୍‌ଏ ପରୀକ୍ଷା କରାଯାଉ ବୋଲି ସ୍ବାମୀ ଦାବି କରିଥିଲେ। ଏହାକୁ ସମ୍ପୃକ୍ତ ମହିଳା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟଙ୍କ ଆଗରେ ପ୍ରସଙ୍ଗ ଥିଲା ଯେ, ବ୍ୟଭିଚାର ଅଭିଯୋଗରେ ଛାଡ଼ପତ୍ର ପାଇଥିବା ଜଣେ ସ୍ତ୍ରୀଙ୍କୁ ହିନ୍ଦୁ ବିବାହ ଆଇନ, ୧୯୫୫ ଅନୁସାରେ ଡିଏନ୍‌ଏ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇପାରିବ କି। ଜଷ୍ଟିସ୍‌ ବିବେକ ଅଗ୍ରଓ୍ବାଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି କହିଛନ୍ତି, ସ୍ବାମୀଙ୍କ ଅଭିଯୋଗ ଓ ସ୍ତ୍ରୀଙ୍କ ଚାରିତ୍ରିକ ବିଶ୍ୱସନୀୟତାକୁ ପ୍ରମାଣିତ କରିବା ଲାଗି ଡିଏନ୍‌ଏ ଯାଞ୍ଚ ରିପୋର୍ଟକୁ ଏକକାଳୀନ ସବୁଠୁ ପ୍ରାମାଣିକ, ଉପଯୁକ୍ତ ଓ ସତ୍ୟ ମାଧ୍ୟମ ଭାବେ ଧରାଯାଇ ପାରିବ। ଡିଏନ୍‌ଏ ପରୀକ୍ଷା ସବୁଠୁ ବୈଧ ଓ ବୈଜ୍ଞାନିକ ଉପାୟ, ଯାହାକୁ ସ୍ତ୍ରୀଙ୍କ ଚାରିତ୍ରିକ ତ୍ରୁଟି ସମ୍ପର୍କରେ ନିଜ ଅଭିଯୋଗର ସତ୍ୟାସତ୍ୟ ସ୍ଥାପନ ପାଇଁ ସ୍ବାମୀ ବ୍ୟବହାର କରିପାରିବେ ବୋଲି ପୂର୍ବରୁ ସୁପ୍ରିମକୋର୍ଟ କହିଥିଲେ। ସେହିପରି ଯୌନଗତ ବିଶ୍ୱାସଘାତକତା ସନ୍ଦେହର ଆଉ ଏକ ମାମଲା ଗତ ଅକ୍ଟୋବରରେ

ସାମ୍ନାକୁ ଆସିଥିଲା। ଉତ୍ତର ପ୍ରଦେଶର ବାନ୍ଦା ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ କରିଥିଲେ। ସେ ତାଙ୍କ ମୁଣ୍ଡ କାଟିବା ପରେ ତାକୁ ଧରି ଥାନାରେ ଆମତ୍ସମର୍ପଣ ପାଇଁ ପହଞ୍ଚତ୍ଥିଲେ। ବ୍ୟକ୍ତି ଜଣକ ରକ୍ତ ଜୁଡ଼ୁବୁଡ଼ୁ କଟାମୁଣ୍ଡ ଧରି ଯାଉଥିବାବେଳର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଚକିତ କରିଦେବା ଭଳି ଆଉ ଏକ ଘଟଣା ୨୦୨୦ ଜୁଲାଇରେ ଆସିଥିଲା। ଛତିଶଗଡ଼ ସଶସ୍ତ୍ର ବଳ (ସିଏଏଫ୍‌)ର ଜଣେ ଯବାନ ନିଜ ସ୍ତ୍ରୀଙ୍କ ବିବାହ ବହିର୍ଭୂତ ସମ୍ପର୍କ ଥିବା ସନ୍ଦେହ କରିବା ପରେ ତାଙ୍କର ସମ୍ବେଦନଶୀଳ ଅଙ୍ଗରେ ବିଦ୍ୟୁତ୍‌ ଆଘାତ ଦେଇ ହତ୍ୟା କରିଥିଲେ।
ମାମଲା କ’ଣ
ଉତ୍ତର ପ୍ରଦେଶର ନୀଲମ ଓ ରାମ ଆଶ୍ରେ ୨୦୦୪ ଏପ୍ରିଲ ୨୮ରେ ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ଉଭୟଙ୍କ ଔରସରୁ ୩ ଜଣ ଝିଅ ଜନ୍ମ ହୋଇଥିଲେ। ସ୍ବାମୀଙ୍କ ମୁତାବକ ସେ ନିଜ ସ୍ତ୍ରୀଙ୍କ ସହ ତା.୧୫.୧.୨୦୧୩ରୁ ରହୁନାହାନ୍ତି ଓ ସେବେଠାରୁ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇନାହିଁ। ତା.୨୫.୬.୨୦୧୪ରେ ଆବେଦନକାରୀଙ୍କୁ ତାଙ୍କ ସ୍ବାମୀ ଛାଡ଼ପତ୍ର ଦେଇଥିଲେ। ଛାଡ଼ପତ୍ର ପରଠାରୁ ରାମ ଆଶ୍ରେ ପରିତ୍ୟକ୍ତା ସ୍ତ୍ରୀଙ୍କୁ ଭରଣପୋଷଣ ବାବଦ ଟଙ୍କା ଦେଇଆସୁଥିଲେ। ସମ୍ପୃକ୍ତ ମହିଳା ଜଣକ ନିଜ ବାପଘରେ ଥିବାବେଳେ ତା.୨୬.୧.୨୦୧୬ରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ମହିଳାଙ୍କ ଯୁକ୍ତି ଥିଲା ଯେ, ସେ ଗର୍ଭବତୀ ଥିବା ସମୟରେ ସ୍ବାମୀ ତାଙ୍କୁ ନିର୍ଯାତନା ଦେଇ ଘରୁ ବାହାର କରିଦେଇଥିଲେ। ଏହାସହ ସେ ଭାରତୀୟ ସାକ୍ଷ୍ୟପ୍ରମାଣ ଆଇନର ଧାରା ୧୧୨ ଅନୁସାରେ ଏକ ପିଟିଶନ କରିଥିଲେ। ଏଥିରେ ମହିଳା ଜଣକ ଦର୍ଶାଇଥିଲେ, ବିବାହ ବଳବତ୍ତର ଥିବାବେଳେ ଶିଶୁକୁ ଜନ୍ମ ଦେବା ବୈଧତାର ଦୃଢ଼ ପ୍ରମାଣ। ତେବେ ଆଲ୍ଲାହାବାଦ ହାଇକୋର୍ଟ ସୁପ୍ରିମକୋର୍ଟଙ୍କ କେତେକ ପୂର୍ବ ରାୟକୁ ଦୃଷ୍ଟାନ୍ତ ଭାବେ ଅବତାରଣା କରି ମହିଳାଙ୍କ ପିଟିଶନକୁ ଖାରଜ କରିଦେଇଥିଲେ। ଖଣ୍ଡପୀଠ କହିଥିଲେ, ସାଇଣ୍ଟିଫିକ୍‌ ରିପୋର୍ଟରେ ବିରୋଧାଭାସ ଆସିଲେ ସମ୍ପୃକ୍ତ ପୁରୁଷଙ୍କୁ ଏକ ପିଲାର ପିତୃତ୍ୱ ବୋଝ ବୋହିବାକୁ ଆମେ ବାଧ୍ୟ କରିପାରିବା ନାହିଁ। ତେଣୁ ଭାରତୀୟ ସାକ୍ଷ୍ୟପ୍ରମାଣ ଆଇନର ଧାରା ୧୧୨ ଅନୁଯାୟୀ ମହିଳାଙ୍କ ଯୁକ୍ତିକୁ ତାଙ୍କର ଡିଏନ୍‌ଏ ପରୀକ୍ଷା ରିପୋର୍ଟ ଆଧାରରେ ହିଁ ଧରାଯାଇପାରିବ।

Share