କରୋନା ଭ୍ୟାକ୍ସିନ ଆସିବା ପରେ ବି ବଦଳାନ୍ତୁ ନାହିଁ ନିଜର ବ୍ୟବହାର: ବିଶେଷଜ୍ଞ

ନୂଆଦିଲ୍ଲୀ,୨ ।୧: ଦେଶରେ କୋଭାସିଲ୍ଡକୁ ବିଶେଷଜ୍ଞ ସମିତି ପକ୍ଷରୁ ଅନୁମତି ମିଳିବା ପରେ ସମସ୍ତେ ଏକ ପ୍ରକାର ଖୁସି ଅଛନ୍ତି କହିଲେ ଚଳେ । ହେଲେ ଏହି ସମୟରେ ବିଶେଷଜ୍ଞମାନେ କହିଛନ୍ତି ଯେ ଟିକା ଆସିବା ପରେ ଲୋକେ ଆଉ ଢିଲା ହୋଇ ଯାଆନ୍ତୁ ନାହିଁ ବା ନିଜ ବ୍ୟବହାରରେ ପରିବର୍ତ୍ତନ କରନ୍ତୁ ନାହିଁ । ଆଇସିଏମ୍‌ଆର୍‌ର ପୂର୍ବତନ ନିର୍ଦ୍ଦେଶକ ଡା. ଆର୍ ଗଙ୍ଗାଖେଡକର କହିଛନ୍ତି, ଆମକୁ ଜରୁରୀକାଳିନ ସ୍ଥିତିରେ ବ୍ୟବହାର କରିବାକୁ ଏକ ଭ୍ୟାକ୍ସିନ ମିଳିଛି ସତ । ହେଲେ ଏହାର ପରିଣାମ କ’ଣ ହେବ ତାହା ଆମକୁ ଜଣା ନାହିଁ । ତେଣୁ ଯେପର୍ଯ୍ୟନ୍ତ ଏହାର ପରିଣାମ ବିଷୟରେ ଜଣା ନାହିଁ ସେପର୍ଯ୍ୟନ୍ତ ଆମକୁ ସତର୍କ ରହିବାକୁ ପଡିବ । ଅନ୍ୟପଟେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିୟା କହିଛନ୍ତି, ୨୦୨୧ର ସ୍ୱାଗତ ଖୁସିରେ କରାଯାଇଛି । ଏହାକୁ ଏମିତି ଭାବେ ରଖିବା ଜରୁରୀ । ଦେଶରେ କରୋନା ଟିକାକରଣକୁ ନେଇ ସବୁ ପ୍ରକାର ପ୍ରସ୍ତୁତି ଚାଲିଛି । ଆଉ କିଛିଦିନ ମଧ୍ୟରେ ଟିକାକରଣ ଆରମ୍ଭ ବି ହୋଇଯିବ । ହେଲେ ଏବେଠାରୁ ଆମ ସମସ୍ତଙ୍କୁ ଧ୍ୟାନ ଦେବାକୁ ପଡିବ ସବୁବେଳେ ମାସ୍କ ପିନ୍ଧିବା, ପରସ୍ପର ମଧ୍ୟରେ ଦୂରତା ରକ୍ଷା କରିବା ଇତ୍ୟାଦି । ଟିକାକରଣ ପରେ କୋଭିଡ ଗାଇଡଲାଇନ ଉପରେ କୌଣସି ପ୍ରଭାବ ପଡିବା ଅନୁଚିତ । ଡା. ଆର୍ ଗଙ୍ଗାଖେଡକର କହିଛନ୍ତି ଦେଶରେ କରୋନା ଟିକା ଜରୁରୀକାଳିନ ପରିସ୍ଥିତିରେ ବ୍ୟବହାର କରିବାକୁ ଅନୁମତି ମିଳିଛି । ତେଣୁ କରୋନା କଟକଣାରେ କୌଣସି ଢିଲା କରାଯିବା କଥା ନୁହେଁ ।

Share