ଭୁବନେଶ୍ୱର,୩୦।୪(ବ୍ୟୁରୋ): ଏବେ ସ୍ଥିତି ନିୟନ୍ତ୍ରଣରେ। ହେଲେ ଆଗକୁ କ’ଣ ହେବ ତାହା କହିବା କଷ୍ଟକର। କିଛି ଏଭଳି ଢ଼ଙ୍ଗରେ ଆଗାମୀ ଦିନରେ ଆସୁଥିବା ବିପଦ ନେଇ ସତର୍କ କରିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି ଜାତୀୟ ହାରରେ ଓଡ଼ିଶାର ଭାଗ ପ୍ରାୟ ୧.୮% ରହିଛି। ଶୁକ୍ରବାର ରାଜ୍ୟରେ ସଂକ୍ରମଣରେ ସର୍ବକାଳୀନ ରେକର୍ଡ ୮୬୮୧ ହୋଇଛି। ଏବେ ୩୩% ସାଧାରଣ ବେଡ୍, ୬୯% ଆଇସିୟୁ, ୩୫% ଭେଣ୍ଟିଲେଟର ବ୍ୟବହୃତ ହେଉଛି। ତେବେ କୋଭିଡ ପଜିଟିଭ୍ ହେବା ମାତ୍ରେ ତରବର ହୋଇ ହସ୍ପିଟାଲ ଆସନ୍ତୁ ନାହିଁ। ହୋମ୍ ଆଇସୋଲେଶନରେ ରୁହନ୍ତୁ। ଜରୁରୀ ହେଲେ ସେ ହସ୍ପିଟାଲ ଆସନ୍ତୁ। ଘରେ ରୁହନ୍ତୁ। ଯଦି ଅବସ୍ଥା ଗୁରୁତର ହେଲା ତେବେ ଆମ୍ବୁଲାନ୍ସ ଯାଇ ଆଣିବ। ଫଳରେ ଜଣେ ଗୁରୁତର ରୋଗୀକୁ ଡାକ୍ତରଖାନାରେ ଚିକିତ୍ସା ସୁବିଧା ମିଳିପାରିବ ବୋଲି ସଚିବ କହିଛନ୍ତି।