ପାରୋଲରେ ଯାଇଥିବା କଏଦୀଙ୍କୁ ଆତ୍ମସମର୍ପଣ ପାଇଁ ବାଧ୍ୟ କରନାହିଁ…

ନୂଆଦିଲ୍ଲୀ, ୨୯।୧ : କରୋନା ମହାମାରୀ ସଙ୍କଟ ସମୟରେ ପାରୋଲରେ ଘରକୁ ଯାଇଥିବା କଏଦୀଙ୍କୁ ଶୀଘ୍ର ଆତ୍ମସମର୍ପଣ ପାଇଁ ବାଧ୍ୟ କରନାହିଁ ବୋଲି ସୁପ୍ରିମ୍‌କୋର୍ଟ କେରଳ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ କଏଦୀଙ୍କୁ ଘରକୁ ଛାଡ଼ି ଦେବା ଉଚିତ ବୋଲି ଶୀର୍ଷ କୋର୍ଟ କହିଛନ୍ତି।

ବିଚାରପତି ନାଗେଶ୍ୱର ରାୟ ଏବଂ ବି.ଆର୍‌. ଗଓ୍ବଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରି ଏଭଳି କହିଛନ୍ତି। ଜେଲ ଅବା ବାହାରେ ଥିବା କଏଦୀଙ୍କ ପ୍ରତି କୌଣସି ଦଣ୍ଡାତ୍ମକ ପଦକ୍ଷେପ ଗ୍ରହଣ ନ କରିବାକୁ ସୁପ୍ରିମ୍‌କୋର୍ଟ ପରାମର୍ଶ ଦେଇଛନ୍ତି। ମହାମାରୀର ସଙ୍କଟ ଜନକ ସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ କୋର୍ଟ ଗୁରୁତ୍ୱାରୋପ କରିଛନ୍ତି।

ପାରୋଲରେ ଯାଇଥିବା କଏଦୀଙ୍କୁ ଫେରାଇ ଆଣିବା ପୂର୍ବରୁ ଜେଲର ସ୍ଥିତିି ଯାଞ୍ଚ୍‌ କରିନେବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି।

୧୪ ବର୍ଷ ଜେଲ୍‌ ଦଣ୍ଡ ଭୋଗୀ ସାରିଥିବା ଡେଲ୍ଫି ନାମକ ଜଣେ ଏକଦୀଙ୍କୁ ୧୪ ଦିନିଆ ପରୋଲରେ ଛଡ଼ା ଯାଇଥିଲା। ଏହାପରେ ୨୦୨୧ ମେ’ ୭ରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଡେଲ୍ଫିଙ୍କ ପାରୋଲ ସୀମାକୁ ୩୦ ଦିନ ବଢ଼ାଇ ଦିଆଯାଇଥିଲା। ଏହା ପରେ ଜୁଲାଇ ୧୬, ଅଗଷ୍ଟ ୬, ଅଗଷ୍ଟ ୨୩ ଏବଂ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଡେଲ୍ଫିଙ୍କ ପାରୋଲ ବଢ଼ାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ତାଙ୍କୁ ଆତ୍ମସମର୍ପଣ ଲାଗି ଜେଲ୍‌ କର୍ତ୍ତୃପକ୍ଷ ବାଧ୍ୟ କରିଥିଲେ। ଏନେଇ ଡେଲ୍ଫ୍‌ି ଶୀର୍ଷକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Share