ନୂଆଦିଲ୍ଲୀ,୫ ।୮: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏବେ କିଛି ରାଜ୍ୟରେ କମ୍ ହୋଇଥିବା ବେଳେ କିଛି ରାଜ୍ୟରେ କିନ୍ତୁ ପୁଣିଥରେ ଏହା ବୃଦ୍ଧି ପାଇବା ଦେଖାଦେଇଛି । ଆଗକୁ ତୃତୀୟ ଲହର ଆସୁଥିବା ବେଳେ ଏବେବି ଦ୍ୱିତୀୟ ଲହରରୁ ମୁକ୍ତି ମିଳିନାହିଁ । କେନ୍ଦ୍ର ସରକାର କିନ୍ତୁ କରୋନା ସଂକ୍ରମଣ ଉପରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି । ଏହାକୁ ନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ଜଣାଇଛନ୍ତି କି ପର୍ବପର୍ବାଣୀ ସମୟରେ ବିନା ସଙ୍କୋଚରେ ରାଜ୍ୟ ସରକାର ଲକଡାଉନ୍ କରିପାରିବେ । ନଚେତ୍ ଏହି ପର୍ବ କରୋନାର ସୁପର ସ୍ପ୍ରେଡର ପାଲଟିଯିବ । ତେଣୁ ସବୁ ସମୟରେ ରାଜ୍ୟ ସରକାର ଆଲର୍ଟ ରହିବାକୁ କେନ୍ଦ୍ର କହିଛି । ସୂଚନାଯୋଗ୍ୟ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୩ ହଜାରରୁ ଅଧିକ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୫୩୩ ଜଣଙ୍କ ମୃତ୍ୟୁ ହୋଇଛି । ଯାହା ଏବେବି ନିୟନ୍ତ୍ରଣକୁ ଆସିନାହିଁ ବୋଲି କୁହାଯାଉଛି ।