ଅତି ଜରୁରୀ ନ ଥିଲେ ଯାତ୍ରା କରନ୍ତୁ ନାହିଁ

ଆବୁଧାବି,୨୦।୪: ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ)ରେ ଭୟଙ୍କର ବନ୍ୟା ମଧ୍ୟରେ ଫସିରହିଥିବା ଭାରତୀୟଙ୍କ ପାଇଁ ନୂଆ ଆଡ୍‌ଭାଇଜରି ଜାରି ହୋଇଛି। ଦୁବାଇରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଶୁକ୍ରବାର ଏହି ଆଡ୍‌ଭାଇଜରି ଜାରି କରାଯାଇଛି। ଚଳିତ ସପ୍ତାହରେ ୟୁଏଇରେ ହୋଇଥିବା ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁ
ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଠିକ୍‌ ଭାବେ କାର୍ଯ୍ୟକ୍ଷମ ହୋଇପାରିନାହିଁ।
ପରିସ୍ଥିତି ସାମାନ୍ୟ ହେବା ଯାଏଁ ଦୁବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅତି ଜରୁରି ନ ଥିଲେ ଯାତ୍ରା କରିବାକୁ ମନା କରାଯାଇଛି। ଏହି ସବୁ ଯାତ୍ରାଗୁଡ଼ିକୁ ପୁନଃ ନିର୍ଦ୍ଧାରଣ କରିବାକୁ ୟୁଏଇରେ ଥିବା ଭାରତୀୟମାନଙ୍କୁ ପରାମର୍ଶ ଦିଆଯାଇଛି। ସ୍ଥିତିରେ ସୁଧାର ପାଇଁ ୟୁଏଇର ଅଧିକାରୀମାନେ କ୍ରମାଗତ କାର୍ଯ୍ୟ କରୁଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ସେହିପରି ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭାରତୀୟ ନାଗରିକଙ୍କୁ ସହାୟତା ପାଇଁ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି। ଅନ୍ୟପକ୍ଷରେ ଗତ ୩ ଦିନ ଧରି ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ସଠିକ ଭାବେ କାର୍ଯ୍ୟକ୍ଷମ ହୋଇପାରି ନ ଥିବାରୁ ଏଠାକୁ ଏୟାର ଇଣ୍ଡିଆର ୧୨୦୦ରୁ ଅଧିକ ବିମାନ ଚଳାଚଳ ବାତିଲ କରାଯାଇଛି। ତେବେ ଏପ୍ରିଲ ୨୧ ପର୍ଯ୍ୟନ୍ତ ଯାତ୍ରା ନେଇ ବୈଧ ଟିକେଟ ଥିବା ଯାତ୍ରୀଙ୍କ ଅର୍ଥ ସମ୍ପୂର୍ଣ୍ଣ ଫେରସ୍ତ ହେବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି।

Share