କରୋନା ଟିକା ନେବାକୁ ଚାହୁଁନାହାନ୍ତି ଏହି ଦେଶର ଲୋକେ

ଓ୍ବାଶିଂଟନ,୨୫ା୧୨: ଆମେରିକାରେ କରୋନା ଟିକାକରଣ ଅଭିଯାନ ଦ୍ରୁତ ଗତିରେ ବଢ଼ିଚାଲିଛି। କୁହାଯାଉଛି, ଏ ପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଯାଇଛି। ଏଠାରେ ଦୁଇଟି କମ୍ପାନୀ ଫାଇଜର ଏବଂ ମଡର୍ନା ଭ୍ୟାକ୍ସିନ ଆପାତକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦିଆଯାଇଛି। ପ୍ରଥମେ ଫାଇଜର ଭ୍ୟାକ୍ସିନକୁ ମଞ୍ଜୁରୀ ମିଳିଥିଲା। ଯାହା ପରେ ଟିକାକରଣ ଆରମ୍ଭ ହୋଇଥିଲା। ଏହା ପରେ ମଡର୍ନା ଟିକାକୁ ମଞ୍ଜୁରୀ ମିଳିଥିଲା। କିନ୍ତୁ ଏବେ ଆମେରିକାର କିଛି ଲୋକ କରୋନା ଟିକା ନେବାକୁ ଚାହୁଁନାହାନ୍ତି।
୧୮ ନଭେମ୍ବରରୁ ୨୯ ପର୍ଯ୍ୟନ୍ତ ୧୨,୬୪୮ ଆମେରିକୀୟ ବୟସ୍କ ବ୍ୟକ୍ତିଙ୍କ ଉପରେ କରାଯାଇଥିବା ଏକ ସର୍ଭେ ଅନୁଯାୟୀ, ଆମେରିକାରେ ୧୦ ଜଣଙ୍କ ମଧ୍ୟରୁ ୪ ଜଣ କରୋନା ଟିକା ନେବାକୁ ମନା କରୁଛନ୍ତି।
ବିଶେଷଜ୍ଞମାନେ କୁହନ୍ତି, କରୋନା ଟିକା ନେବାକୁ ଲୋକେ ଅମଙ୍ଗ ହେବାର କାରଣ ମଧ୍ୟ ରହିଛି। କୋଭିଡ ଟିକା ଅନୁସନ୍ଧାନ ଏବଂ ଏହାର ବିକାଶ ମାତ୍ର ୮ ମାସ ମଧ୍ୟରେ କରାଯାଇଛି। ଯେତେବେଳେ କି ବୈଜ୍ଞାନିକମାନେ କୌଣସି ଟିକାର ପ୍ରଭାବ ଜାଣିବା ପାଇଁ ବର୍ଷ ବର୍ଷ ସମୟ ଲାଗିଥାଏ। ଲୋକମାନେ ଭାବୁଛନ୍ତି, ଏହି ଟିକା ଏତେ କମ୍‌ ଦିନରେ ବାହାରିଥିବାରୁ ପ୍ରଭାବଶାଳୀ ହୋଇ ନ ପାରେ କିମ୍ବା ଏହା ଶରୀର ପାଇଁ କିଛି କ୍ଷତି ଘଟାଇପାରେ। ତେଣୁ ଟିକା ନେବାକୁ ରାଜି ହେଉନାହାନ୍ତି।

Share