ଅନ୍ୟପାଇଁ ଭୋଗିବାକୁ ପଡୁଛି କି ଦୁଃଖ: ଏପରି ପରିସ୍ଥତି ଉପୁଜିଲେ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଶହ ଶହ ବର୍ଷ ପୂର୍ବରୁ ଯେପରି ଥିଲା ଆଜି ବି ତାହା ସେମିତି ରହିଛି। ଜୀବନକୁ ସଫଳ ଏବଂ ସୁଖମୟ କରିବା ପାଇଁ ଚାଣକ୍ୟ ତାଙ୍କ ପୁସ୍ତକ ‘ଚାଣକ୍ୟ ନୀତି’ରେ ଉଲ୍ଲେଖ କରିଛନ୍ତି। ଯାହାକୁ ଅନୁସରଣ କରି ଜଣେ ବ୍ୟକ୍ତି ଜୀବନକୁ ସଫଳ କରିପାରିବ। ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରର ଷଷ୍ଠ ଅଧ୍ୟାୟର ୧୦ମ ପଦରେ କହିଛନ୍ତି, ଅନ୍ୟମାନଙ୍କ କାରଣରୁ ଆମକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ତେବେ ଏହି ସମୟରେ ଆମକୁ କ’ଣ କରିବା ଉଚିତ୍‌ ତାହା ମଧ୍ୟ ସେ ଜଣାଇଛନ୍ତି।

– ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଜଦି ଜଣେ କିଛି ଭୁଲ କରନ୍ତି ତେବେ ଏହାର ଫଳ ଉଭୟଙ୍କୁ ଭୋଗିବାକୁ ପଡ଼ିଥାଏ। ଅର୍ଥାତ୍‌ ଯଦି ସ୍ବାମୀ କିଛି ଭୁଲ କରନ୍ତି, ତେବେ ସ୍ତ୍ରୀକୁ ଏବଂ ସ୍ତ୍ରୀ ଯଦି କିଛି ଭୁଲ କରନ୍ତି ସ୍ବାମୀଙ୍କୁ ଏହାର ଫଳ ଭୋଗିବାକୁ ପଡ଼ିଥାଏ। ତେଣୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ସ୍ବାମୀ-ସ୍ତ୍ରୀ ପରସ୍ପର ଭୁଲ କାମରୁ ନିବୃତ ରହିବା ଉଚିତ୍‌ ବୋଲି ଚାଣକ୍ୟ କହିଛନ୍ତି।

-ଯଦି ସରକାରରେ ମନ୍ତ୍ରୀ କିମ୍ବା ପରାମର୍ଶଦାତା ସେମାନଙ୍କ କାର୍ଯ୍ୟ ସଠିକ୍‌ ଭାବେ ନ କରନ୍ତି ଏବଂ ଠିକ୍‌ କିମ୍ବା ଭୁଲ କାର୍ଯ୍ୟ ବିଷୟରେ ରାଜାଙ୍କୁ ଅବଗତ ନ କରାନ୍ତି, ଉପଯୁକ୍ତ ପରାମର୍ଶ ନ ଦିଅନ୍ତି, ତେବେ ରାଜାଙ୍କର ଭୁଲ କାର୍ଯ୍ୟ ପାଇଁ ପୁରୋହିତ, ପରାମର୍ଶଦାତା ଏବଂ ମନ୍ତ୍ରୀମାନେ ଦାୟୀ ରୁହନ୍ତି। ତେଣୁ ରାଜାଙ୍କୁ ଉପଯୁକ୍ତ ପରାମର୍ଶ ଦେବା ଏବଂ ତାଙ୍କୁ ଭୁଲ କାର୍ଯ୍ୟରୁ ନିବୃତ୍ତ କରିବା ପୁରୋହିତଙ୍କ କର୍ତ୍ତବ୍ୟ।

-ଯଦି କୌଣସି ରାଜ୍ୟ କିମ୍ବା ଦେଶର ଲୋକମାନେ କୌଣସି ଭୁଲ କାମ କରନ୍ତି, ତେବେ ଦେଶର ଶାସକ କିମ୍ବା ରାଜାଙ୍କୁ ଏହାର ପରିଣାମ ସହିବାକୁ ପଡିଥାଏ। କାରଣ ଲୋକଙ୍କ ପ୍ରତି କୌଣସି ଭୁଲ ନ କରିବା ଶାସକ ଅବା ରାଜାଙ୍କର ଦାୟିତ୍ୱ ଅଟେ। ଯଦି ରାଜା ତାଙ୍କ କାର୍ଯ୍ୟକୁ ସଠିକ ଭାବରେ କରିବାକୁ ସକ୍ଷମ ନୁହଁନ୍ତି, ତେବେ ଜନସାଧାରଣ ରାଜାଙ୍କୁ ବିରୋଧ କରିବା ଆରମ୍ଭ କରନ୍ତ। ଯଦି ଏପରି ପରିସ୍ଥିତି ଉପୁଜେ ତେବେ ରାଜାଙ୍କୁ ଦୋଷୀ ବିବେଚନା କରାଯାଏ।

-ଯଦି ଶିଷ୍ୟ କିଛି ଭୁଲ କରେ, ଏହାର ଫଳ ଗୁରୁଙ୍କୁ ଭୋଗିବାକୁ ପଡ଼ିଥାଏ। ତେଣୁ ଗୁରୁଙ୍କ ଦାୟିତ୍ୱ ହେଉଛି, ଶିଷ୍ୟକୁ ଭୁଲ କାର୍ଯ୍ୟରୁ ନିବୃତ୍ତ ରଖିବା ସହ ସଠିକ କାର୍ଯ୍ୟ କରିବାକୁ ପ୍ରେରଣା ଦେବା। ଯଦି ଗୁରୁ ଏପରି କରିବାକୁ ସକ୍ଷମ ନ ହୁଅନ୍ତି, ତେବେ ଏଥିପାଇଁ ସେ ନିଜେ ଦାୟୀ ବୋଲି ଚାଣକ୍ୟ କହିଛନ୍ତି।